ଦେବଗଡ: ତିଳେଇବଣି ଫାଣ୍ଡି ଅଧିନ ପ୍ରଭାସୁଣି ଗାଁ ନିକଟ 53 ନମ୍ବର ଜାତୀୟ ରାଜପଥରେ ଏକ ବାଇକ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଜଣେ ବାଇକ ଆରୋହୀର ମୃତ୍ୟୁ ହୋଇଛି । ଏହାସହ 2ଜଣ ଗୁରୁତର ଅଛନ୍ତି ।
ଆହତଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ତିଳେଇବଣି ଫାଣ୍ଡି ଅଧିନ କରଡ଼ାପାଳ ଗାଁରୁ ଏକ ପଲସର ବାଇକ ଯୋଗେ ୩ ଜଣ ଯୁବକ ପ୍ରଭାସୁଣି ଗାଁ ଅଭିମୁଖେ ଆସୁଥିବା ବେଳେ ଗାଁ ନିକଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ପଡ଼ିଥିଲା । ଫଳରେ ବାଇକରେ ଥିବା 3 ଜଣ ଯୁବକ ମଧ୍ୟରୁ ଜଣେ ଯୁବକ ରାସ୍ତା ଉପରକୁ ଛିଟିକି ପଡିଥିଲେ ଓ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଅନ୍ୟ 2ଜଣ ଯୁବକ ଗୁରୁତର ଭାବେ ଆହତ ହୋଇଥିଲେ । ମୃତ ଯୁବକ ଜଣକ କରଡ଼ାପାଳ ଗାଁର ରାଜେନ୍ଦ୍ର ନାୟକ ଓ ଆହତ ଯୁବକ ମଧ୍ୟରୁ ଜଣେ ଲୁଲଙ୍ଗ ଗାଁର ଟୁକୁନା ବେହେରା ବୋଲି ଜଣା ପଡିଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ ।