ଦେବଗଡ:ଗ୍ରାମାଞ୍ଚଳ ଓ ସହରରେ ବସବାସ କରୁଥିବା ଗରିବ ଆର୍ଥିକ ଦୁର୍ବଳ ତଥା ବାସହୀନ ଲୋକଙ୍କୁ ପକ୍କା ବାସଗୃହ ଯୋଗାଇ ଦେବା ଲକ୍ଷ୍ୟରେ ସରକାର କାର୍ଯ୍ୟକାରୀ କରିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ହେଲେ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ଏହୁ ଦୃଶ୍ୟ ହିଁ ବୟାନ କରୁଛି । ସରକାରୀ କର୍ମଚାରୀଙ୍କ ତ୍ରୁଟିପୂର୍ଣ୍ଣ ହିତାଧିକାରୀ ଚୟନ ଏବଂ ପ୍ରିୟାପ୍ରୀତି ତୋଷଣ ମନୋଭାବ ଯୋଗୁଁ ବହୁ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏମିତି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲାର ସୁଖାପଡ଼ନ ଗ୍ରାମରେ ।
ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ସରକାରୀ ଆବାସ, ଝାଟିମାଟି କୁଡ଼ିଆରେ ବିତୁଛି ଜୀବନ - ସୁଖାପଡ଼ନ ଗ୍ରାମରେ ପ୍ରହସନ ପାଲଟିଛି ଆବାସ ଯୋଜନା
ଦେବଗଡ ଜିଲ୍ଲା ସୁଖାପଡ଼ନ ଗ୍ରାମରେ ପ୍ରହସନ ପାଲଟିଛି ଆବାସ ଯୋଜନା । ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ । ଝାଟିମାଟି କୁଡ଼ିଆରେ ବିତୁଛି ଜୀବନ । ଅଧିକ ପଢନ୍ତୁ
ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏହି ଝାଟିମାଟି କୁଡ଼ିଆ । କେଇଖଣ୍ଡ କାଠ ଓ ବାଉଁଶରେ ତିଆରି ହୋଇଛି କାନ୍ଥ । ଛାତ ବୋଲି ରହିଛି କିଛି ଡାଳପତ୍ର ଓ ନଡ଼ା । କେତେବେଳେ ଯେ ସାମାନ୍ୟ ବର୍ଷା କିମ୍ବା ପବନରେ ଘରଟି ମାଟିରେ ମିଶିଯିବ କିଛି କହିହେବନି । ତଥାପି ଏଭଳି ଅସୁରକ୍ଷିତ କୁଡ଼ିଆରେ ବର୍ଷ ବର୍ଷ ଧରି ବସବାସ କରୁଛନ୍ତି ଦେବଗଡ଼ ଜିଲ୍ଲା ଟାଇଁସର ପଞ୍ଚାୟତ ଅନ୍ତର୍ଗତ ସୁଖାପଡ଼ନ ଗାଁର ଲେବା ସୋଇଙ୍କ ସାତପ୍ରାଣୀ କୁଟୁମ୍ବ । ସରକାରୀ ଆବାସ ଏମାନଙ୍କ ପାଇଁ ପାଲଟିଛି ସାତସ୍ବପ୍ନ । ଏହା କେବଳ ଗୋଟିଏ ପରିବାରର ସମସ୍ୟା ନୁହଁ । ସୁଖାପଡନ ଗାଁରେ ବସବାସ କରୁଥିବା 30ଟି ଆଦିବାସୀ ପରିବାରର ସେହି ଏକା ସମସ୍ୟା ।
ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଟାଇଁସର ପଞ୍ଚାୟତରର ଦୁର୍ଗମ ପାହାଡ଼ ଘେରା ମଧ୍ୟରେ ରହିଛି ସୁଖାପଡ଼ନ ଗ୍ରାମ । ଏହି ଛୋଟିଆ ଗ୍ରାମରେ ବସବାସ କରି ଆସୁଛନ୍ତି 30ଟି ଗରିବ ଆଦିବାସୀ ପରିବାର । ସମସ୍ତ ପରିବାର କୁଲିମଜୁରୀ କରି ଓ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହକରି ପରିବାର ଚଳାଇଥାନ୍ତି । ଗାଁରେ ନାହିଁ ଗୋଟିଏ ବି ଆଖିଦୃଶିଆ ପକ୍କା ବାସଗୃହ । ଘର ବୋଲି ସମସ୍ତଙ୍କର ରହିଛି କେବଳ ଝାଟିମାଟି କୁଡ଼ିଆ । କାହାର ଦଦରା କାନ୍ଥ ତ ପୁଣି କାହାର ଭଙ୍ଗା ଚାଳ ଛପର ଛାତ । ଅସରାଏ ବର୍ଷା କିମ୍ବା ପବନ ବୋହିଲେ କୁଡ଼ିଆ ଭାଙ୍ଗି ଚୁରମାର ହୋଇଯିବାର ଭୟ ରହିଛି ପ୍ରତିଟି ମୁହୂର୍ତ୍ତରେ । ତଥାପି ଏଭଳି ଅସୁରକ୍ଷିତ କୁଡ଼ିଆରେ ବର୍ଷବର୍ଷ ଧରି ନିଜ ପିଲାଛୁଆଙ୍କୁ ନେଇ ଜୀବନ ବିତାଇ ଆସୁଛନ୍ତି ଏହି 30ଟି ଆଦିବାସୀ ପରିବାର ।
ସେପଟେ ଗରିବ ବାସହୀନ ଲୋକଙ୍କୁ ସରକାର ଯୋଗାଇ ଦେଉଛନ୍ତି ପକ୍କା ବାସଗୃହ । ସମସ୍ତଙ୍କୁ ପକ୍କା ବାସଗୃହ ଯୋଗାଇ ଦିଆଯାଉଥିବା ନେଇ ପ୍ରଶାସନ ଡିଣ୍ଡିମ ପିଟୁଛି । ହେଲେ ପକ୍କା ବାସଗୃହ ଖଣ୍ଡିଏ ସାତସ୍ବପ୍ନ ପାଲଟିଛି ସୁଖାପଡ଼ନ ଗ୍ରାମବାସୀଙ୍କ ପାଇଁ । ସରକାରୀ ଆବାସ ଖଣ୍ଡିଏ ଲେଖାଏ ପାଇବା ପାଇଁ ପ୍ରତି ପରିବାର ଦୀର୍ଘବର୍ଷ ହେବ ଟାଇଁସର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ତିଳେଇବଣି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାରମ୍ବାର ଦୌଡ଼ି ଦୌଡ଼ି ଗୁହାରି କରି ଆସୁଛନ୍ତି । ହେଲେ ଗରିବ ଲୋକଙ୍କ କଥା ଶୁଣୁଛି ବା କିଏ । ଶେଷରେ ନିଜ ନିଜ ଭାଗ୍ୟକୁ ଆଦରି ଝାଟିମାଟି କୁଡ଼ିଆରେ ପଡିରହିଛନ୍ତି ସମସ୍ତେ । କେହି ଦୃଷ୍ଟି ଦେଉନଥିବା ସେମାନେ ଅଭିଯୋଗ କରିଛନ୍ତି ।
ଦେବଗଡ଼ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳତା ନେଇ ପ୍ରଶାସନିକ ସ୍ତରରେ ଯୋରସୋର ପ୍ରଚାର ଚାଲିଛି । ହେଲେ ସୁଖାପଡ଼ନ ଗାଁର ସ୍ଥିତି ଦେଖିଲେ ଏହା ହିଁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଆବାସ ଯୋଜନାର ଯେ ନିଷ୍ଠୁର ବାସ୍ତବତା, ଏକଥାକୁ ଅସ୍ବୀକାର କରିହେବ ନାହିଁ ।
ଇଟିଭି ଭାରତ, ଦେବଗଡ଼