ଦେବଗଡ଼: ଅସୁରକ୍ଷିତ ଗଜରାଜ । ରାଜ୍ୟରେ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି ହାତୀ ମୃତ୍ୟୁ ସଂଖ୍ୟା । କେତେବେଳେ ହାତୀ ମଣିଷର ଜୀବନ ନେଉଛି ତ ଆଉ କେଉଁଠି ମଣିଷ ଯୋଗୁଁ ହାତୀର ମୃତ୍ୟୁ ହେଉଛି । ଏବେ ପୁଣି ଏକ ହାତୀ ଛୁଆର ମୃତଦେହ ଠାବ ହୋଇଛି । ଦେବଗଡ ଜିଲ୍ଲାର ରିଆମାଳ ରେଞ୍ଜ ନୂଆଁଡ଼ିହି ସେକ୍ସନ ଅନ୍ତର୍ଗତ କଣ୍ଟିମାଳ ଗାଁ ନିକଟ ରେଙ୍ଗାଳି ଜଳଭଣ୍ଡାର ପାଣି ଭିତରୁ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି । ତେବେ ହାତୀପଲ ଜଳଭଣ୍ଡାର ପାରି କରୁଥିବା ବେଳେ ପାଣିରେ ବୁଡିଯାଇ ହାତୀ ଶାବକଟି ପ୍ରାଣ ହରାଇଥିବା ଜଣାପଡିଛି ।
ସୂଚନା ମୁତାବକ, ଗତକାଲି ଅପରାହ୍ନରେ ରିଆମାଳ ରେଞ୍ଜ ନୂଆଁଡ଼ିହି ସେକ୍ସନର ରେଙ୍ଗାଳି ଜଳଭଣ୍ଡାର ପାଣି ମଧ୍ୟରେ ଏକ ହାତୀ ଛୁଆର ମୃତଦେହ ପଡିଥିଲା । ଏନେଇ ଖବର ପାଇ ବନ ବିଭାଗ କର୍ମଚାରୀ ହାତୀ ଛୁଆଟିକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ହୋଇଥିବା ହାତୀ ଶାବକର ବୟସ ପ୍ରାୟ ୮ରୁ ୧୦ ମାସ ହେବ ବୋଲି ବନ ବିଭାଗ ଅନୁମାନ କରିଛି । ମୃତ ଶାବକଟି ଜଳଭଣ୍ଡାରରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ତୁରନ୍ତ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଶାବକ ହାତୀର ମୃତଦେହ ଉଦ୍ଧାର କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ- ତାଣ୍ଡବ ରଚିଲେ ହାତୀପଲ, ଫସଲ ନଷ୍ଟ କରିବା ସହ ଭାଙ୍ଗିଲେ ଘର