ଦେବଗଡ଼:ସବୁଜ ବଣ ପାହାଡ଼ ପରିବେଷ୍ଟିତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଦେବଗଡ଼ ଜିଲ୍ଲା । ଏହାର ମୁଖ୍ୟ ସହରର ଉତ୍ତର-ପଶ୍ଚିମ ଦିଗରେ ପ୍ରାୟ ୧ କିଲୋମିଟର ଦୂରରେ ଅବସ୍ଥିତ ଜିଲ୍ଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ କୁରୁଡ଼କୋଟ ଜଳପ୍ରପାତ । ଚତୁଃପାର୍ଶ୍ଵ ନିଘଞ୍ଚ ଅରଣ୍ୟର ଶାନ୍ତ ପରିବେଶରେ ସୁଉଚ୍ଚ ପର୍ବତ ଶିଖରରେ ଥିବା ଏକ ପଥର ସୃଙ୍ଗରୁ ଧରାପୃଷ୍ଠକୁ କୁଳୁକୁଳୁ ନାଦ କରି ବୋହି ଆସୁଥିବା ଝରଣା ଓ ଏହାର ମୁକ୍ତା ସଦୃଶ ଜଳରାଶି ସହଜେ ଦର୍ଶକଙ୍କ ମନକୁ ହରଣ କରିଥାଏ । କିନ୍ତୁ ଦୁଃଖର ବିଷୟ ଏହି ମନୋରମ ସ୍ଥଳଟି ରାଜ୍ୟର ସର୍ବପ୍ରଥମ ଜଳ ବିଦ୍ୟୁତ ପ୍ରକଳ୍ପ ହୋଇଥିଲେ ମଧ୍ୟ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ବେଳେ ବିଲୁପ୍ତ ହେବାକୁ ବସିଛି ।
1905 ମସିହାରେ ତତ୍କାଳୀନ ବାମଣ୍ଡା ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ କୁରୁଡ଼କୋଟ ଜଳପ୍ରପାତ ଠାରେ ସ୍ଥାପିତ କରିଥିଲେ ରାଜ୍ୟର ସର୍ବ ପ୍ରଥମ ଜଳ ବିଦ୍ୟୁତ ପ୍ରକଳ୍ପ । ନିଜର ବୈଷୟିକ ଜ୍ଞାନ କୌଶଳ ବଳରେ କୁରୁଡ଼କୋଟ ପ୍ରପାତ ଜଳକୁ ଏକ ପକ୍କା ନାଳ ଜରିଆରେ ସଂଗ୍ରହିତ କରି ଓ ଏକ ଟରବାଇନ ଯନ୍ତ୍ର ସାହାଯ୍ୟରେ ଜଳ ତରଙ୍ଗ ସୃଷ୍ଟି କରି ସେଥିରୁ ବିଦ୍ୟୁତ ଶକ୍ତି ଉତ୍ପାଦିତ କରିଥିଲେ ।
ଏହି ବିଦ୍ୟୁତ ଶକ୍ତିକୁ ଏକ ଡାଇନାମା ସାହାଯ୍ୟରେ ସଞ୍ଚୟ କରି ତାହା ରାଜପ୍ରାସାଦ ଓ ଦେବଗଡ଼ ସହରକୁ ଯୋଗାଇ ଦିଆଯାଉଥିଲା । ଏହି ପ୍ରକଳ୍ପ 1905 ମସିହାଠାରୁ ଆରମ୍ଭ ହୋଇ 1916 ମସିହା ବେଳକୁ କାର୍ଯ୍ୟକ୍ଷମ ହୋଇଥିଲା । ଏହି ଜଳ ବିଦ୍ୟୁତ ପ୍ରକଳ୍ପ ଥିଲା ଦେଶର ଦ୍ଵିତୀୟ ଓ ରାଜ୍ୟର ସର୍ବ ପ୍ରଥମ ଜଳ ବିଦ୍ୟୁତ ପ୍ରକଳ୍ପ । ଏହି ପ୍ରକଳ୍ପ ସ୍ଥାପନ କରି ବିଜ୍ଞାନ ବିନୋଦ ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ ସାରା ଦେଶରେ ସୁଖ୍ୟାତି ଅର୍ଜନ କରିଥିଲେ ।