ଦେବଗଡ:ଦେବଗଡ଼ ପୌର କାର୍ଯ୍ୟାଳୟରେ ଚରମ ସୀମାରେ ଦୁର୍ନୀତି । ସ୍ଥିତି ଏପରି ହେଲାଣି ଯେ ନିର୍ବାହୀ ଅଧିକାରୀଙ୍କ ଜାଲ ଦସ୍ତଖତ ମଧ୍ୟ କରିବାକୁ ପଛାଉ ନାହାନ୍ତି କର୍ମଚାରୀ । ଦେବଗଡ଼ ପୌର କାର୍ଯ୍ୟାଳୟରେ ପୂର୍ବରୁ ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ନାୟକଙ୍କ ଜାଲ ଦସ୍ତଖତ କରି କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗ ପତ୍ର ଉଲ୍ଲେଖ ହୋଇଛି । କାର୍ଯ୍ୟାଳୟର କେହି ଜଣେ କର୍ମଚାରୀ ନଗର ଉନ୍ନୟନ ବିଭାଗକୁ ଏହି ଅଭିଯୋଗ ପତ୍ର ପଠାଇଥିବା ଜଣାଯାଇଛି । ଏନେଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ରାଜୀବ ଲୋଚନ । ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ଼ ପୌର କାର୍ଯ୍ୟାଳୟରେ କେହି ସ୍ଥାୟୀ ନିର୍ବାହୀ ଅଧିକାରୀ ନଥିବାରୁ ସହକାରୀ ଜିଲ୍ଲାପାଳ ରାଜୀବ ଲୋଚନ ନାୟକଙ୍କୁ ପୌର ନିର୍ବାହୀ ଅଧିକାରୀ ଦାୟିତ୍ୱ ଦିଆଯାଇଥିଲା । ମାତ୍ର ସ୍ଥାୟୀ ନିର୍ବାହୀ ଅଧିକାରୀ ନିଯୁକ୍ତି ପାଇବା ପରେ କିଛି ମାସ ସେ ସମସ୍ତ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ପୂର୍ବରୁ ପୌର କାର୍ଯ୍ୟାଳୟରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମେତ ଫିନାଇଲ, ବ୍ଳଚିଂ ପାଉଡର ଓ ବିଦ୍ୟୁତ ସାମଗ୍ରୀ କ୍ରୟରେ ବହୁ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଆସୁଥିଲା । ବର୍ତ୍ତମାନ କାର୍ଯ୍ୟାଳୟର ଆକାଉଣ୍ଟ ଅଧିକାରୀ କେ. ଚାଣ୍ଟିଂ ଆଚାରି ପୌର ପରିଷଦର ବିନା ମଞ୍ଜୁରୀରେ ଲକ୍ଷ ଲକ୍ଷ ଟଙ୍କା ହେରାଫେର କରିଥିବା ଅଭିଯୋଗ ନେଇ ଏକ ଅଭିଯୋଗ ପତ୍ର ନଗର ଉନ୍ନୟନ ବିଭାଗ ନିକଟକୁ ପଠାଯାଇଛି ।
ସେପ୍ଟେମ୍ବର 1 ତାରିଖ ଠାରୁ 15 ତାରିଖ ମଧ୍ୟରେ ସେ ପ୍ରାୟ 17 ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ହୋଇଥିବା ବେଳେ ଏଥିରେ ପୂର୍ବତନ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ନାୟକଙ୍କ ଜାଲ ଦସ୍ତଖତ ରହିଛି । କେହି କର୍ମଚାରୀ ଏପରି କରି ନଭେମ୍ବର 2 ତାରିଖରେ କେ. ଚାଣ୍ଟିଂ ଆଚାରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନଗର ଉନ୍ନୟନ ବିଭାଗକୁ ପତ୍ର ପଠାଇଥିବା ଜଣାପଡିଛି ।