ଦେବଗଡ଼: ପୌର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଆଜି (ସୋମବାର) ଥିଲା ଅନ୍ତିମ ଦିବସ । ଏହି ଅବସରରେ ବିଜେଡି ବିଜେପି ଓ କଂଗ୍ରେସ ଦଳର ପୌରାଧ୍ୟକ୍ଷା ଓ କାଉନସିଲର ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ ମାନେ ନିଜ ନିଜ ଶକ୍ତି ପ୍ରଦର୍ଶନ କରି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
Municipal Poll: ଶକ୍ତି ପ୍ରଦର୍ଶନ କରି ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ସର୍ବମୋଟ 11 ଟି ୱାର୍ଡ ବିଶିଷ୍ଟ ଦେବଗଡ଼ ପୌର ପରିଷଦରେ ବିଜେଡି ପକ୍ଷରୁ ପୌରାଧ୍ୟକ୍ଷା ପଦବୀ ପାଇଁ ବିଶିଷ୍ଟ ଶିକ୍ଷାବିତ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତି ମଞ୍ଜରୀ ଦେଇ ନିଜ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ତାଙ୍କ ସହିତ ବିଭିନ୍ନ ୱାର୍ଡ ପାଇଁ ୧୦ ଜଣ କାଉନସିଲର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ବିଜେପି ପକ୍ଷରୁ ଅଧ୍ୟକ୍ଷ ପଦବୀ ପାଇଁ ମାଧବୀ କୁମାରୀ ଦେବୀ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ସେହିପରି କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ପଦବୀ ପାଇଁ ପବନି ସାହୁ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କେବଳ 6 ନମ୍ବର ୱାର୍ଡ ମେମ୍ବର ପାଇଁ ଜଣେ ମାତ୍ର ଯୁବନେତା ତଥା ପୂର୍ବତନ ୱାର୍ଡ ମେମ୍ବର ଧର୍ମେନ୍ଦ୍ର କୁମାର ଦେବତା ସ୍ବାଧୀନ ପ୍ରାର୍ଥୀ ଭାବେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେଡି ବିଜେପି ଓ କଂଗ୍ରେସ ପକ୍ଷରୁ ମୋଟ 3 ଜଣ ଦଳୀୟ ପ୍ରାର୍ଥୀ ଅଧ୍ୟକ୍ଷା ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ କାଉନସିଲର ପାଇଁ 31 ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।
ପ୍ରାର୍ଥୀପତ୍ର ଦାଖଲ ବେଳେ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ବାଳ ବହୁ ସଂଖ୍ୟାରେ ଦଳୀୟକର୍ମୀ ଓ ସମର୍ଥକଙ୍କ ଗହଣରେ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ବିଶାଳ ପଟୁଆରରେ ନଗର ପରିକ୍ରମା କରିବା ସହି ଜିଲ୍ଲା କାର୍ଯ୍ୟାଳୟକୁ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ବିଜେପି ସଭାପତି ମୀନ କେତନ ପ୍ରଧାନ, ବିଧାୟକ ସୁବାସ ପାଣିଗ୍ରାହୀ ନିଜ କର୍ମୀ ଓ ସମର୍ଥକଙ୍କ ଗହଣରେ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ଜିଲ୍ଲା କାର୍ଯ୍ୟାଳୟକୁ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରାଇଥିଲେ ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ