ଦେବଗଡ:ଯୁବକଙ୍କୁ ଏସିଡ ମାଡ କଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି ହେଲେ । ଏଭଳି ଘଟଣା ଘଟିଛି ଦେବଗଡ଼ ପୌରାଞ୍ଚଳର ରଜାମୁଣ୍ଡା ମୁଣ୍ଡା ସାହିରେ । ଗତକାଲି(ସୋମବାର) ସନ୍ଧ୍ୟା ସମୟରେ ଏହି ଘଟଣା ଘଟିଥିବା ବେଳେ ଗୁରୁତର ଯୁବକ ହେଉଛନ୍ତି ମୁଣ୍ଡା ସାହିର ଦୈତାରୀ ପ୍ରଧାନଙ୍କ ପୁଅ ସିକନ ପ୍ରଧାନ ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସିକନ ନିଜ ଘର ଠାରୁ କିଛି ଦୂରରେ ରାସ୍ତା କଡରେ ଛିଡାହୋଇ ଫୋନରେ ବାର୍ତ୍ତାଳପ କରୁଥିଲେ । ଏହି ସମୟରେ ତିନିଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଏସିଡ ମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଫଳରେ ଏସିଡ ମାଡ ଯୋଗୁଁ ଯୁବକଙ୍କ ମୁହଁ ଓ ହାତ ପୋଡିଯାଇଥିଲା । ଏହା ଦେଖି ସ୍ଥାନୀୟ ମହିଳା କାଉନସିଲରଙ୍କ ସ୍ବାମୀ ରାଜେନ୍ଦ୍ର ଆଚାର୍ଯ୍ୟ ଆହତ ସିକନଙ୍କୁ ତୁରନ୍ତ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇ ଅଧିକ ଚିକିତ୍ସା କରାଯାଉଥିଲା ।