ଦେବଗଡ଼: ଚିକ୍ ଚିକ୍ କରୁଛି ସରକାରଙ୍କ ୫T ସ୍ମାର୍ଟ ସ୍କୁଲ । ସ୍କୁଲ ପାଚେରୀରେ ଶୋଭା ପାଉଛି ଭଳିକି ଭଳି ରଙ୍ଗୀନ ଚିତ୍ର । ସ୍କୁଲ କୋଠରୀରେ ପିଲାଙ୍କ ପାଇଁ ରହିଛି ସ୍ମାର୍ଟ କ୍ଲାସରୁମ, ସାଇନ୍ସ ଲେବରଟାରୀ, କମ୍ପ୍ୟୁଟର, ଏଲସିଡି ବୋର୍ଡ ଏବଂ ଲକ୍ଷାଧିକ ଟଙ୍କାର ଅତ୍ୟାଧୁନିକ ଶିକ୍ଷା ଉପକରଣ । ପିଲାଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ କରିବାକୁ ସରକାର କୋଟିକୋଟି ଟଙ୍କା ବ୍ୟୟକରି ଏହି ବିଦ୍ୟାଳୟକୁ ୫T ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ କରିଛନ୍ତି ସତ, ହେଲେ ସ୍କୁଲରେ ନା ଅଛନ୍ତି ଛାତ୍ରଛାତ୍ରୀ ନା ଅଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ମୋଟାମୋଟି ଭାବେ କହିବାକୁ ଗଲେ, ସ୍କୁଲଟି ଗତ 2016 ମସିହାରେ ନିର୍ମାଣ ହେବା ପରଠାରୁ ଆଜିଯାଏ ଦିନକ ପାଇଁ ବି ଖୋଲିନାହିଁ । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ରେଙ୍ଗାତା ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ୫T ବ୍ୟବସ୍ଥାର ଅସଲ ଚିତ୍ର ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ଗତ 2016ରେ ସରକାରଙ୍କ ଶିକ୍ଷା ବିଭାଗ ରେଙ୍ଗାତା ଗ୍ରାମରେ ନିର୍ମାଣ କରିଥିଲା ରେଙ୍ଗାତା ଉନ୍ନୀତ ଉଚ୍ଚ ବିଦ୍ୟାଳୟ । ଏଥିରେ ସରକାରଙ୍କ ରାଜକୋଷରୁ ବ୍ୟୟ ହୋଇଥିଲା ପ୍ରାୟ 60 ଲକ୍ଷ ଟଙ୍କା । ବିଡମ୍ବନା ଯେ , ବିଦ୍ୟାଳୟଟି ନିର୍ମାଣ ହେବା ପରଠାରୁ ଗୋଟିଏ ଦିନ ପାଇଁ ବି ଖୋଲି ପାରିଲା ନାହିଁ । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଓ ଅପାରଗତା କାରଣରୁ ଛାତ୍ରଛାତ୍ରୀ ଏଠାରେ ପାଠ ପଢିବାରୁ ବଞ୍ଚିତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ କଥା ଏତିକିରେ ସରିଲା ନାହିଁ, ଗତ 2021ରେ ସରକାରଙ୍କ ୫T ସ୍ମାର୍ଟ ସ୍କୁଲ ରୂପସନ୍ତରିତ କାର୍ଯ୍ୟକ୍ରମରେ ଏହି ସ୍କୁଲଟି ସାମିଲ ହେଲା ।
ସ୍କୁଲ ରୂପାନ୍ତରିତରେ ସରକାରୀ ରାଜକୋଷରୁ ପାଖାପାଖି 80 ଲକ୍ଷ ଟଙ୍କା ବ୍ୟୟ ହେଲା । ସ୍କୁଲର ମଡେଲ ସମ୍ପୂର୍ଣ୍ଣ ଉଚ୍ଚକୋଟୀର ହେବା ସହ ସ୍କୁଲରେ ଖଞ୍ଜା ହେଲା ଲକ୍ଷାଧିକ ଟଙ୍କାର ଅତ୍ୟାଧୁନିକ ଶିକ୍ଷା ଉପକରଣ । ଗତ ଜାନୁଆରୀ 27 ତାରିଖ ଦିନ ସ୍ମାର୍ଟ ସ୍କୁଲଟିକୁ ଦେବଗଡ଼ ଜିଲ୍ଲାପାଳ ସୌମେଶ କୁମାର ଉପାଧ୍ୟାୟ, ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ ଓ ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ପ୍ରମୁଖ ଉଦଘାଟିତ କରିଥିଲେ । ମାତ୍ର ଅତ୍ୟନ୍ତ ହାସ୍ୟାସ୍ପଦ ବିଷୟ ହେଲା, ଉଦଘାଟନ ପରେ ବି ସ୍କୁଲଟି କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ । ଚଳିତ ଶିକ୍ଷାବର୍ଷ ଆରମ୍ଭ ହୋଇଥିବା ବେଳେ ଏଠାରେ ପିଲାଙ୍କ ନାମଲେଖା କାର୍ଯ୍ୟକ୍ରମ ଏଯାଏଁ ହୋଇପାରୁନାହିଁ । ନିର୍ମାଣ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ସ୍କୁଲଟି ଅପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି । ଏଠାରେ ଥିବା ଲକ୍ଷାଧିକ ଟଙ୍କାର ଶିକ୍ଷା ଉପକରଣ କାମରେ ନଆସି ଅଯଥା ନଷ୍ଟ ହେଉଛି ।