ଦେବଗଡ଼: ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା । ଦୀର୍ଘ ସମୟ ଅପରେସନ ପରେ ଗୋଟିଏ ଲୁଟେରା ଗ୍ୟାଙ୍ଗର 3 ଜଣଙ୍କୁ ଗିରଫ କରିବା ସହ ଚୋରା ସାମଗ୍ରୀ ରଖିଥିବା ଅଭିଯୋଗରେ 4 ଜଣ ଜଣକୁ ଗିରଫ କରିଛି ପୋଲିସ । ଏହା ସହ ସେମାନଙ୍କ ପାଖରୁ ବିପୁଳ ପରିମାଣରେ ଚୋରା ସାମଗ୍ରୀ ଓ ମାରଣାସ୍ତ୍ର ଜବତ କରାଯାଇଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ଦୀର୍ଘ ଦିନରୁ ପୋଲିସ ଆଖିରେ ଧୂଳି ଦେଇ ଏକ ଲୁଟେରା ଗ୍ୟାଙ୍ଗ ଜିଲ୍ଲାର କୁଣ୍ଢେଇଗୋଳା ଓ ରିଆମାଳ ଥାନାର ବିଭିନ୍ନ ଅଞ୍ଚଳରେ ଲଗାତାର ଲୁଟତରାଜ ଚଳାଇ ଆସୁଥିଲେ । ଦେବଗଡ଼ ଏସଡ଼ିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ଓ କୁଣ୍ଢେଇଗୋଳା ଥାନା ଆଇଆଇସି, ଆର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ସ୍ବତନ୍ତ୍ର ପୋଲିସ ଟିମ ଅନୁଗୁଳ ଜିଲ୍ଲା କଣିହାଁ, ଏନଟିପିସି ଓ ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ରାଇଝରଣ ଜଙ୍ଗଲରେ ଚଢ଼ାଉ କରି ବିପୁଳ ମାତ୍ରାରେ ଚୋରି ସାମଗ୍ରୀ ଓ ମାରଣାସ୍ତ୍ର ଜବତ କରିବା ସହିତ 3 ଜଣ ଲୁଟେରାଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, ସମ୍ବଲପୁର ଜିଲ୍ଲା ରେଙ୍ଗାଲି କ୍ୟାମ୍ପର ରମେଶ ବଗର୍ତ୍ତି , ଦେବଗଡ଼ ପୌରାଞ୍ଚଳର ଲିଙ୍କନ ସାହୁ ଓ କୁଣ୍ଢେଇଗୋଳା ଥାନା ଗରିଆପାଲି ଗାଁର ରଞ୍ଜନ ନାୟକ । ଏଥିସହ ଚୋରି ସାମଗ୍ରୀ ରଖିଥିବା ଅଭିଯୋଗରେ ଅନ୍ୟ ଚାରିଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନଙ୍କ ପାଖରୁ 10 ଟି ମୋବାଇଲ ଫୋନ, 2ଟି ବାଇକ, 2ଟି ପାଣିପମ୍ପ, ଗୋଟିଏ କମ୍ପୁଟର , ଡେସ୍କଟପ ଆଦି ଜବତ କରାଯାଇଛି ।