କଟକ: ଯୁବବସ୍ଥାରେ ସମାଜ ଚିନ୍ତା । କିପରି ନିଜ ନିପଟ ମଫସଲ ଗାଁର ବିକାଶ ହେବ, ଗରିବ ପିଲାମାନେ ଆତ୍ମନିର୍ଭରଶୀଳ ହେବେ ତାହାର ପ୍ରୟାସ । ଏଥିଲାଗି ସେ ବହୁ ବଡ ବଡ ଚାକିରୀକୁ ପାଦରେ ଆଡେଇ ଦେଇଛନ୍ତି । ଏପରିକି ଅର୍ଥଭାବ କାରଣରୁ ନିଜ ଅର୍ଜିତ ଶିକ୍ଷାବୃଦ୍ଧି ଓ ପୁରସ୍କାର ରାଶିକୁ ବି ସେ ଖର୍ଚ୍ଚ କରିବାକୁ ପଛାଇନାହାନ୍ତି । ଏଭଳି ଜଣେ ନିସ୍ବାର୍ଥପର, ପରୋପକାରୀ ଯୁବ ବୈଜ୍ଞାନିକ ହେଲେ ଅନୀଲ ପ୍ରଧାନ । କଟକ ଜିଲ୍ଲା ବୟାଳିଶ ମୌଜାର ବରାଳ ଗ୍ରାମରେ ଥିବା ନିଜ ଘରେ ଏକ ସ୍କୁଲ ଖୋଲି 126 ଛାତ୍ରଛାତ୍ରୀଙ୍କୁ ତାଲିମ ଦେଉଛନ୍ତି ଅନୀଲ । ଏହି ସ୍କୁଲ ର ନାମ ରଖିଛନ୍ତି ଅନ୍ତରାଷ୍ଟ୍ରୀୟ ଗ୍ରାମୀଣ ନବପ୍ରବର୍ତ୍ତନ ସର୍ବସାଧାରଣ ବିଦ୍ୟାଳୟ।
ବିନା ଫିସରେ ନୂଆ ଟେକନୋଲୋଜି ଶିକ୍ଷା । ସେ ବି ବହିରେ ନୁହେଁ ଟ୍ୟାବରେ ପଢୁଛନ୍ତି ପିଲାଏ । ଆଫ୍ରନ ପିନ୍ଧି ଏହି କୁନି କୁନି ବୈଜ୍ଞାନିକ ବିନା ମାଟିରେ ଗଛ କିପରି ହେବ ସେ ନେଇ କରୁଛନ୍ତି ଗବେଷଣା । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ୪ଟି ଲାଇବ୍ରେରୀରେ ବିଜ୍ଞାନ,ପ୍ରଯୁକ୍ତିବିଦ୍ୟା,ଇଞ୍ଜିନିଅରିଂ ଜ୍ଞାନ ଆଦି ପ୍ରୟୋଗରେ ନୂଆ ନୂଆ ଉଦ୍ଭାବନ ପାଇଁ ପ୍ରସ୍ତୁତ ହେଉଛନ୍ତି ଏହି କୁନି କୁନି ପିଲା। କେବଳ ସେତିକି ନୁହେଁ , କାମକୁ ସହଜ ଓ ସରଳ କରିବାକୁ ତିଆରି କରୁଛନ୍ତି ହାଇଟେକନୋଲୋଜି ରୋବର୍ଟ । ଚିରାଚରିତ ଶୈଳୀକୁ ବାଏ ବାଏ କରି ଡିଜିଟାଲ ମାଧ୍ୟମରେ ଆଗାମୀ କାଲିର ଭବିଷ୍ୟତୁ ଗଢିବାରେ ଲାଗିଛନ୍ତି ଅନୀଲ । ତେବେ ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ ଟଙ୍କା ନଥିବାରୁ ବହୁ ସମସ୍ୟାର ସାମ୍ନା କରୁଛନ୍ତି , ହେଲେ ବି ପ୍ରୟାସ ଜାରି ରଖିଛନ୍ତି ଅନୀଲ ।