ନିଆଳି:ଗଣେଶ ପୂଜା ଭସାଣୀକୁ ଯାଇ ଆଉ ଘରକୁ ଫେରିଲେ ନାହିଁ ଯୁବକ, ସକାଳୁ କେନାଲରୁ ଉଦ୍ଧାର ହେଲା ମୃତଦେହ । ଏଭଳି ଘଟଣା ଘଟିଛି ଓଲଟପୁର ଥାନା ଅଡଶପୁର ବେଢାସାହି ଗାଁରେ । ମୃତକ ଜଣଙ୍କ ହେଉଛନ୍ତି ସେହି ଗ୍ରାମର ରଘୁନାଥ ବିଶ୍ବାଳଙ୍କ ପୁଅ ରାଜ କିଶୋର । ପୁଅର ମୃତଦେହ ମିଳିବା ପରେ ଶରୀରରେ କ୍ଷତ ଚିହ୍ନ ଥିବାରୁ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ଥାନାରେ ଅଭିଯୋଗ କଲେ ମୃତ ଯୁବକଙ୍କ ବାପା ।
ମିଳିଥିବା ସୂଚନା ଅନୁଯାୟୀ, ସୋମବାର କଟକ ଜିଲ୍ଲା ଓଲଟପୁର ଥାନା ଅଡଶପୁର ବେଢାସାହି ଗାଁରେ ଗଣେଶ ଭସାଣି ଚାଲିଥିଲା। ଗାଁର ସମସ୍ତ ଯୁବକ ଭସାଣୀରେ ସାମିଲଥିଲେ । ତେବେ ରାତିରେ ଭସାଣି ଶେଷ ହେବା ପରେ ସମସ୍ତେ ଘରକୁ ଫେରିଥିଲେ, ମାତ୍ର ଅଡଶପୁର ବେଢାସାହି ଗାଁର ରଘୁନାଥ ବିଶ୍ବାଳଙ୍କ ପୁଅ ରାଜକିଶୋର ଆଉ ଘରକୁ ଫେରିନଥିଲେ । ଘର ଲୋକେ ବହୁ ଖୋଜାଖୋଜି କରିବା ପରେ ନିରାଶ ହୋଇଥିଲେ ।
ପରେ ଆଜି ସକାଳୁ ଅଡଶପୁର କେନାଲ ମଧ୍ୟରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏନେଇ ଖବର ପାଇ ଓଲଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଛି । ଅନ୍ୟପଟେ ମୃତ ରାଜ କିଶୋରଙ୍କ ବାପା ରଘୁନାଥ ବିଶ୍ବାଳ ପୁଅକୁ ହତ୍ୟା କରାଯାଇଥିବା ଓଲଟପୁର ଥାନାରେ ଅଭିଯୋଗ କରିଛନ୍ତି ।