ନିଆଳି:ଅଦିମ୍ଯ ଇଛାଶକ୍ତି ଓ କଠିନ ପରିଶ୍ରମ ଫଳରେ ନିଜ ଲକ୍ଷ୍ଯ ସ୍ଥଳରେ ପହଞ୍ଚିବାକୁ ପ୍ରୟାସ ଜାରି ରଖିଛନ୍ତି ସସ୍ମିତା ପୁହାଣ । ଚଳିତ ମାଟ୍ରିକ ରେଜଲ୍ଟରେ କଟକ ଜିଲ୍ଲା ନିଆଳି ବ୍ଳକରେ ଟପ୍ପର ହୋଇଛନ୍ତି । କିନ୍ତୁ ଆର୍ଥିକ ଅବସ୍ଥା ପାଇଁ ଝିଅ ଡାକ୍ତରୀ ପଢ଼ିବା ଆଶା ଓ ସ୍ୱପ୍ନ ସାକାର ହେବ କି ନାହିଁ ଆଶଙ୍କାରେ ଥିଲେ ପରିବାର ଲୋକେ । ହେଲେ ଏନେଇ ଇଟିଭି ଭାରତରେ ସସ୍ମିତା ପୁହାଣଙ୍କ ସମ୍ପର୍କରେ ଖବର ପ୍ରସାରିତ ହେବା ପରେ ସହାୟତାର ହାତ ବଢାଇଲେ ଯଶୋଦା ଦେବୀ ଫାଉଣ୍ଡେସନ ଓ ନବଜ୍ଯୋତି ସାଇନ୍ସ କଲେଜ୍ ।
ସୂଚନା ମୁତାବକ, ସସ୍ମିତା ପୁହାଣ ୯୫.୫ ପ୍ରତିଶତ ହାରରେ ୫୭୩ ନମ୍ବର ରଖି ନିଆଳି ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । କଟକ ଜିଲ୍ଲା ନିଆଳି ବ୍ଳକର କସର୍ଦ୍ଦା ଗାଁ ସୁରେନ୍ଦ୍ର ପୁହାଣଙ୍କ ଝିଅ ଲକ୍ଷ୍ମୀ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅଟନ୍ତି । ନିଆଳି ବ୍ଳକର ୯ ଜଣଙ୍କ ଗ୍ରେଡ୍ ଏ୧ ମଧ୍ୟରୁ ସସ୍ମିତା ପୁହାଣ ସର୍ବାଧିକ ନମ୍ବର ରଖି ଟପ୍ପର ହୋଇଥିଲେ । ତେବେ ସସ୍ମିତାଙ୍କ ବାପା ସୁରେନ୍ଦ୍ର ଜଣେ ରାଜମିସ୍ତ୍ରୀ ହୋଇଥିବା ବେଳେ 4ଝିଅ ମଧ୍ୟରୁ ସସ୍ମିତା ହେଉଛନ୍ତି ଦ୍ଵିତୀୟ ଝିଅ ।ଚଳିତ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ପରେ ପରିବାର ଲୋକେ ବେଶ ଖୁସି ଅନୁଭବ କରିଛନ୍ତି । ଡାକ୍ତରୀ ପାଠ ପଢ଼ିବାକୁ ମନ ବଳାଇଛନ୍ତି ସସ୍ମିତା ପୁହାଣ । ଏଥିପାଇଁ ବାଧକ ସାଜିଥିଲା ଅର୍ଥ । ପ୍ରଥମେ ଏନେଇ ଈଟିଭି ଭାରତ ପକ୍ଷରୁ ସସ୍ମିତା ପୁହାଣଙ୍କ ସମ୍ପର୍କରେ ଖବର ପ୍ରସାରିତ ହୋଇଥିଲା । ଝିଅର ପାଠପଢ଼ା ପାଇଁ ଆର୍ଥିକ ସହାୟତା ସହ ଝିଅର ସ୍ବପ୍ନ ପୂରଣ ହେବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବେ ବୋଲି କହିଥିଲେ ସସ୍ମିତାଙ୍କ ବାପା ସୁରେନ୍ଦ୍ର । ଏହି ଖବର ପ୍ରସାରିତ ହେବା ପରେ ସହାୟତାର ହାତ ବଢାଇଛନ୍ତି ଦୁଇଟି ସଙ୍ଗଠନ ।