ଖୋର୍ଦ୍ଧା/କଟକ: ରବିବାର ଅହମ୍ମଦାବାଦରେ ବିଶ୍ବକପ୍ କ୍ରିକେଟର ଫାଇନାଲ ମୁକାବିଲା । ବିଶ୍ବକପର ଏହି ମହାଲଢ଼େଇକୁ ନେଇ ଓଡ଼ିଶାରେ କ୍ରିକେଟ୍ ଫିଭର । ଟିମ ଇଣ୍ଡିଆକୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇବାକୁ ଯାଇ ଖୋର୍ଦ୍ଧା ଏବଂ କଟକରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଖୋର୍ଦ୍ଧାରେ ଗଣଦୌଡ଼ ଅନୁଷ୍ଠିତ ହୋଇଥିବା ବେଳେ, କଟକରେ ଟିମ୍ ଇଣ୍ଡିଆର ବିଜୟ କାମନା କରି ହୋମଯଜ୍ଞ ଏବଂ ପୂଜାର୍ଚ୍ଚନା କରିଛନ୍ତି ପ୍ରଶଂସକ ।
ଖୋର୍ଦ୍ଧାରେ ଗଣଦୌଡ଼: ଟିମ୍ ଇଣ୍ଡିଆର ହାତ ପାହାନ୍ତାରେ ବିଶ୍ବକପ କ୍ରିକେଟ ଟ୍ରଫି । 12 ବର୍ଷ ପରେ ପୁଣି ଥରେ ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି ମେନ୍ ଇନ୍ ବ୍ଲୁ । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଜବରଦସ୍ତ ଫର୍ମରେ ଥିବା ଭାରତୀୟ ଟିମ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ବିଶ୍ବକପ ଜିତିବାର ନିଆରା ରେକର୍ଡ ଆଶାରେ, ଆସନ୍ତାକାଲି(ରବିବାର) ମଇଦାନକୁ ଓହ୍ଲାଇବ ରୋହିତ ବାହିନୀ । ଏଥିପାଇଁ ସବୁଠି ଭାରତ ସପକ୍ଷରେ ଆରମ୍ଭ ହୋଇଛି ସେଲିବ୍ରେସନ । ଟିମ ଇଣ୍ଡିଆକୁ ଚିଅର ଅପ୍ କରିବା ପାଇଁ ସବୁଠି ଉତ୍ସାହର ମାହୋଲ । ଚଳିତ କ୍ରିକେଟ ବିଶ୍ଵକପ ଫାଇନାଲରେ ଭାରତ ସହ ଅଷ୍ଟ୍ରେଲିଆର ହେବ ମୁକାବିଲା । ଟାଇଟଲ୍ ଲଢ଼େଇରେ ଅହମଦାବାଦ ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ଭାରତର କୋଣ ଅନୁକୋଣରୁ ଭାରତୀୟ କ୍ରିକେଟ ଟିମ ପ୍ରତି ଶୁଭେଚ୍ଛାର ସୁଅ ଛୁଟୁଛି । ଆଜି (ଶନିବାର) ଖୋର୍ଦ୍ଧା ଷ୍ଟାଡିୟମରେ ସ୍କୁଲ ଛାତ୍ରଛାତ୍ରୀ, କ୍ରିକେଟ ଖେଳାଳି ଏବଂ ପ୍ରଶଂସକମାନେ ମିଳିତ ଭାବେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି । "ଚକ୍ ଦେ ଇଣ୍ଡିଆ", "ଇଣ୍ଡିଆ ଜିତିବ" ନାରା ଦେବା ସହ ଗଣ ଦୌଡ଼ରେ ସାମିଲ ହୋଇଛନ୍ତି ।
ଏହାମଧ୍ୟ ପଢ଼ନ୍ତୁ: ବିଶ୍ବକପ୍ ଫାଇନାଲ: ମୁମ୍ବାଇରୁ ଅହମ୍ମଦାବାଦକୁ ଚାଲିବ ସ୍ବତନ୍ତ୍ର ଟ୍ରେନ୍