କଟକ:ଜିମ୍ରେ ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ । ମୃଦୁ ପାନୀୟରେ ନିଶା ପଦାର୍ଥ ମିଶାଇ ପିଇବାକୁ ଦେବା ପରେ ଯୁବତୀଙ୍କ ସହ ଦୁଷ୍କର୍ମ କଲା ଜିମ୍ ମାଲିକ । ଏପରିକି ଦୁଷ୍କର୍ମ ସମୟର ଫଟୋ ଓ ଭିଡିଓ ଉତ୍ତୋଳନ କରି ଅଭିଯୁକ୍ତ ବ୍ଲାକମେଲିଂ କରୁଥିଲା ଏବଂ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । କଟକ ସିଡିଏ ସେକ୍ଟର ୯ରେ ଥିବା ଏକ ଜିମ୍ରେ ଏହି ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି । ଏନେଇ ଯୁବତୀ ଜଣକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି । ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଜିମ୍ର ସିସିଟିଭ ଯାଞ୍ଚ କରିବା ସହ ବିଭିନ୍ନ ଲୋକଙ୍କୁ ପଚାଉଚରା କରାଯାଉଛି ।
ଅଭିଯୋଗ ଅନୁସାରେ, ଉକ୍ତ ମହିଳା ଜଣଙ୍କ ଗତବର୍ଷ ମାର୍ଚ୍ଚ ୨ ତାରିଖ ଦିନ ସେହି ଜିମ୍ରେ ଯୋଗ ଦେଇଥିଲେ । ସେଠାରେ ସେ ପ୍ରତିଦିନ ୱାର୍କ ଆଉଟ ଓ ବିଭିନ୍ନ ବ୍ୟାୟାମ କରୁଥିଲେ । କିଛି ଦିନ ପରେ ଯୁବତୀଙ୍କ ପ୍ରତି ଜିମ୍ ମାଲିକ ଚିନ୍ମୟ ସ୍ୱାଇଁଙ୍କ ହାବଭାବରେ ପରିବର୍ତ୍ତନ ଆସିଥିଲା । ସେ ବାରମ୍ବାର ଯୁବତୀଙ୍କ ନିକଟତର ହେବାକୁ ଚେଷ୍ଟା କରୁଥିଲେ । ଏହାପରେ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଜିମରେ କେଉଁ ବ୍ୟାୟାମ କରିବା ଓ ପ୍ରୋଟିନ ପିଇବା ଆବଶ୍ୟକ ସେନେଇ ରୀତିମତ ପରାମର୍ଶ ଦେଉଥିଲେ ଚିନ୍ମୟ ।
ଗତ ୧୬ ତାରିଖ ଦିନ ଜିମ୍ ସରିବା ପରେ ଚିନ୍ମୟ ଉକ୍ତ ଯୁବତୀଙ୍କୁ ଏନର୍ଜି ପାନୀୟ ଦେଇଥିଲେ । ଯେଉଁଥିରେ ନିଶା ଔଷଧ ମିଶିଥିଲା । ଏହାକୁ ପିଇବାର କିଛି ସମୟରେ ପରେ ଯୁବତୀ ଅଚେତ ହୋଇଯାଇଥିଲେ । ଯାହାର ଫାଇଦା ନେଇ ଜିମ୍ ମାଲିକ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ଅଭିଯୁକ୍ତ ଚିନ୍ମୟ ଦୁଷ୍କର୍ମ ସମୟର କିଛି ଫଟୋ ଓ ଭିଡ଼ିଓ ମଧ୍ୟ ନିଜ ମୋବାଇଲରେ କଏଦ କରିଥିଲା । ଏହା ଜରିଆରେ ସେ ବ୍ଲାକମେଲିଂ କରି ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ବୋଲି ଏତଲାରେ ଉଲ୍ଲେଖ ରହିଛି ।