ପ୍ରଧାନ ଶିକ୍ଷକଙ୍କ ପିଛା ଛାଡୁନାହିଁ ବିବାଦ ନିଆଳି:ପ୍ରଧାନ ଶିକ୍ଷକଙ୍କ ପିଛା ଛାଡୁନାହିଁ ବିବାଦ । ଗତ କିଛି ଦିନ ତଳେ ଦଶମ ଶ୍ରେଣୀ ଅର୍ଦ୍ଧ୍ବବାର୍ଷିକ ପ୍ରଶ୍ନ ପତ୍ର ଘରେ ରଖି ବିବାଦ ଭିତରକୁ ଆସିଥିବା ପ୍ରଧାନ ଶିକ୍ଷକ ପୁଣି ଆଜି ଆଉ ଏକ ବିବାଦ ଭିତରକୁ ଆସିଥିବା ଅଭିଯୋଗ ହୋଇଛି । ନିଆଳି ବ୍ଳକ ଅଁଳୋ ପଞ୍ଚାୟତ ପିଙ୍ଗଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ମହାନ୍ତିଙ୍କ ନାମରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସ୍କୁଲ ଶିକ୍ଷା କମିଟି ଓ ଅଭିଭାବକ । ଶିକ୍ଷକଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିଥିବା ବେଳେ ଶେଷରେ ପୋଲିସ ଦ୍ବାରା ଉଦ୍ଧାର ହୋଇଛନ୍ତି ପ୍ରଧାନ ଶିକ୍ଷକ ।
ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ତଳେ ମ୍ୟାଟ୍ରିକ ପ୍ରଶ୍ନ ପତ୍ର ଘରେ ରଖି ବିଦ୍ୟାଳୟକୁ ନ ଆସିବା ଘଟଣାର ୧୦ ନପୁରୂଣୁ ଦିନ ପରେ ଆଜି ମଦ୍ୟପାନ କରି ବିଳମ୍ବରେ ବିଦ୍ୟାଳୟକୁ ଆସିଥିବା ନେଇ ଅଭିଯୋଗ ହୋଇଛି । ଫଳରେ ସ୍ଥାନୀୟ ଲୋକ ଓ ଅଭିଭାବକମାନେ ଉତ୍ତ୍ୟକ୍ତ ହୋଇପ୍ରଧାନ ଶିକ୍ଷକଙ୍କୁ ଅଟକ ରଖିଲେ । ଖବର ପାଇ ନିଆଳି ପୋଲିସ ଦ୍ବାରା ଉଦ୍ଧାର ହୋଇଛନ୍ତି ସମ୍ପୃକ୍ତ ପ୍ରଧାନ ଶିକ୍ଷକ ।
ଗାଁ ଲୋକେ ଓ ଅଭିଭାବକ ଅଭିଯୋଗ କରିଛନ୍ତି ଯେ, ପିଙ୍ଗଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ମାଟ୍ରିକ୍ ଅର୍ଦ୍ଧ୍ବ ବାର୍ଷିକ ପରୀକ୍ଷା ସମୟରେ ପ୍ରଧାନ ଶିକ୍ଷକ ଅକ୍ଷୟ ମହାନ୍ତି ପ୍ରଶ୍ନପତ୍ର ଘରେ ରଖି ବିଦ୍ୟାଳୟ ଆସି ନଥିଲେ । ଫଳରେ ପିଲାଙ୍କ ପରୀକ୍ଷା ଦେବାରେ ବିଳମ୍ବ ହୋଇଥିଲା । ଯାହାକୁ ନେଇ ତାଙ୍କ ନାଁରେ ପୂର୍ବରୁ ଅଭିଯୋଗ ରହିଛି । ଶେଷରେ ମାଟ୍ରିକ ପ୍ରଶ୍ନପତ୍ର ପାଇଁ ସିଆରସିସି ୩୦ କିମି ଦୂର ଜଗତସିଂହପୁର ଯାଇ ପ୍ରଶ୍ନ ପତ୍ର ଆଣିଥିଲେ । ସେବେ ଠାରୁ ୧୦ ଦିନଧରି ବିଦ୍ୟାଳୟ ଆସୁ ନଥିବା ପ୍ରଧାନ ଶିକ୍ଷକ । ଆଜି ବିଳମ୍ବରେ ମଦ୍ୟପାନ କରି ବିଦ୍ୟାଳୟକୁ ଆସିଥିଲେ । ଗ୍ରାମବାସୀ ପ୍ରଧାନ ଶିକ୍ଷକଙ୍କ ଏପରି ଅବସ୍ଥା ଦେଖି ତାଙ୍କୁ ବିଦ୍ୟାଳୟରେ ଅଟକ ରଖିଥିଲେ ।’’
ଏହା ମଧ୍ୟ ପଢନ୍ତୁ...ସରକାରୀ ସ୍କୁଲର ବିକଳ ଚିତ୍ର, ପାଠ ପଢାଇବାକୁ ନାହାନ୍ତି ଶିକ୍ଷକ
ବିଦ୍ୟାଳୟ ପରିସର ଏବଂ ବାହାରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ପରେ ଖବର ପାଇ ନିଆଳି ପୋଲିସ ପ୍ରଧାନ ଶିକ୍ଷକଙ୍କୁ ଉଦ୍ଧାର କରିଛି । ଏହି ଘଟଣାକୁ ନେଇ ବିଦ୍ୟାଳୟରେ ଦୀର୍ଘ ସମୟ ଧରି ହୋ ହଲ୍ଲା ପାଟିତୁଣ୍ଡ ଲାଗି ରହିଥିଲା । ପ୍ରଧାନ ଶିକ୍ଷକଙ୍କ ବ୍ୟାଗରୁ ଦୁଇଟି ମଦ ବୋତଲ ମିଳିଛି । ଏପରି ମଦ୍ୟପ ଶିକ୍ଷକଙ୍କୁ ବହିଷ୍କାର ଓ ତାଙ୍କ ବିରୁଦ୍ଧରେ ଦୃଢ଼ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି ହୋଇଛି । ପ୍ରଧାନ ଶିକ୍ଷକଙ୍କ ପୁଅ ବାପାଙ୍କୁ ଛାଡିବା ପାଇଁ ଆସିଥିବା ବେଳେ ସ୍ଥାନୀୟ ଲୋକଙ୍କ ରୋଷର ଶିକାର ହୋଇଥିବା ନେଇ ସୂଚନା ମିଳିଛି ।
ଇଟିଭି ଭାରତ, ନିଆଳି