ନିଆଳି: ଲାଲ ଟମାଟୋର ଲାଲ ଆଖି । ଯେଉଁ ଟମାଟୋ ଏକ ସପ୍ତାହ ତଳେ ୩୦/୪୦ ଟଙ୍କାରେ ବିକ୍ରି ହେଉଥିଲା, ଏବେ ସେଞ୍ଚୁରୀ ପାର କରି ସରିଲାଣି । ଏହା ପୁଣି ରାଜ୍ୟ ବାହାର ଟମାଟୋ । କିନ୍ତୁ ଆମ ଓଡ଼ିଶା ଟମାଟୋ ଚାଷ କରିଥିବା ଚାଷୀ ଶସ୍ତାରେ ଟମାଟୋ ବିକ୍ରି କରି ସାରିଛନ୍ତି । ତେବେ କେବଳ ଟମାଟୋ ନୁହେଁ, ସବୁ ପରିବା ହାପ ସେଞ୍ଚୁରୀ ପାର କରି ସରିଲାଣି । ଏକ ହଜାର ଟଙ୍କାରେ ବି ଖାଉଟିଙ୍କ ବ୍ୟାଗ ପୁରୁନାହିଁ । ବଜାର ଉପରେ ଯୋଗାଣ ବିଭାଗର ନଜର ନଥିବାରୁ ଖାଉଟି ହନ୍ତସନ୍ତ ହେଉଥିବା ଅଭିଯୋଗ । ସେପଟେ ଦରବୃଦ୍ଧି ଯୋଗୁଁ ପରିବା ବଜାର ଯିବାକୁ ଡରୁଛନ୍ତି ଗ୍ରାହକ ।
କଟକ ଜିଲ୍ଲାର ଅଡଶପୁର, ତ୍ରିନାଥ ବଜାର, ବାଲିପଡା, କସର୍ଦ୍ଦା, ସିଠାଳୋ, କାଳିଆ ଘାଈ ଏବଂ ନିଆଳି ଆଦି ବିଭିନ୍ନ ସ୍ଥାନରେ ରହିଛି ସାପ୍ତାହିକ ଏବଂ ନିତି ଦିନିଆ ବଜାର । ସେହିପରି ଖୋର୍ଦ୍ଧା ଜିଲ୍ଲାର ବାଳକାଟି, ବାଲିଅନ୍ତା, ବାଲିପାଟଣା, ଧାନହରା, ବସନ୍ତ ମାଳ ଓ ବନମାଳୀପୁରରେ ରହିଛି ପରିବା ମାର୍କେଟ । ଏହି ସବୁ ବଜାର ଉପରେ ନିର୍ଭର କରିଥାନ୍ତି ସ୍ଥାନୀୟ ଖାଉଟି ଏବଂ ଜିଲ୍ଲା ଓ ଜିଲ୍ଲା ବାହାର ବ୍ୟବସାୟୀ ଓ ଚାଷୀ ନିଜର ପନିପରିବା ବେପାର କରିଥାନ୍ତି । ତେବେ ଗତ କିଛିଦିନ ତଳେ ଯେଉଁ କଞ୍ଚା ପରିବାର କିଲୋ ପିଛା ୨୦/୩୦ ଟଙ୍କା ଦରରେ ବିକ୍ରି ହେଉଥିଲା, ସେଥିରେ ହଠାତ୍ ଦର ବୃଦ୍ଧି ଘଟିଛି । ଫଳରେ କଞ୍ଚା ପରିବାର ଦରବୃଦ୍ଧି ଯୋଗୁଁ ହାଣ୍ତିଶାଳ ପ୍ରଭାବିତ ହୋଇଛି । ଦିନ ମଜୁରିଆ ଠାରୁ ଆରମ୍ଭ କରି ଧନିକ ଶ୍ରେଣୀର ବ୍ୟକ୍ତି ମଧ୍ୟ ପ୍ରଭାବିତ ହୋଇଛନ୍ତି । ନିଆଳି ପରିବା ମାର୍କେଟ ସପ୍ତାହରେ ଦୁଇ ଦିନ ବସେ । ରବିବାର ଓ ଗୁରୁବାର । ଏହି ହାଟ ଉପରେ ଖୋର୍ଦ୍ଧା, ପୁରୀ, କଟକ ଏବଂ ଜଗତସିଂହପୁର ଜିଲ୍ଲାର ଖାଉଟି, ଚାଷୀ ଓ ବ୍ୟବସାୟୀ ନିର୍ଭର କରିଥାନ୍ତି । ଏହି ଅଞ୍ଚଳରୁ ଲୋକଲ କଞ୍ଚା ପରିବାର ଆମଦାନୀ ହେବା ସହ ଅନୁଗୋଳ, ବରଗଡ଼ ଜିଲ୍ଲା ଏବଂ ବାଙ୍ଗାଲୋର ଓ ଆନ୍ଧ୍ରରୁ ମଧ୍ୟ କଞ୍ଚା ପରିବା ଆସିଥାଏ ।