କଟକ:ମହାନଦୀର ଗଭୀର ଜଳ ରାଶିରେ ପ୍ରଶିକ୍ଷଣ ନେଉଛନ୍ତି ଉତ୍ତରପ୍ରଦେଶରେ SDRF ଟିମ୍ । ପ୍ରାକୃତିକ ଦୁର୍ବିପାକ ଓ ପ୍ରତିକୂଳ ସମୟରେ ଗଭୀର ଜଳରୁ ମଣିଷକୁ କିପରି ରକ୍ଷା କରାଯିବ ସେନେଇ 30 ଜଣ ଯବାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି କଳିଙ୍ଗ ଡାଇଭର ଗ୍ରୁପ । ବନ୍ୟା ହେଉକି ବାତ୍ୟା ସମସ୍ତ ଅସୁବିଧାର ସଫଳ ମୁକାବିଲା ଦିଗରେ ଏହି ଯବାନ ସଙ୍କଟମୋଚକ ସାଜିବେ ।
ବନ୍ୟା ହେଉ କି ବାତ୍ୟା ବା କେହି ପାଣିରେ ବୁଡି ଯାଉଥିବା ବେଳେ ସେମାନଙ୍କୁ ସୁରକ୍ଷା ଯୋଗାଇବା SDRF ଟିମ୍ ଗୁରୁ ଦାୟିତ୍ବ ତୁଲାଇଥାନ୍ତି । ଆଉ ଏହି କାର୍ଯ୍ୟରେ ପାରଙ୍ଗମ ହୋଇନଥିଲେ କିଛି ଯବାନଙ୍କ ଜୀବନ ମଧ୍ୟ ବିପଦରେ ପଡିଥାଏ । ତେଣୁ ଗଭୀର ଜଳ ରାଶିରେ ବୁଡ଼ି ଯାଉଥିବା ଲୋକକୁ ରକ୍ଷା କରିବା ପାଇଁ ସଠିକ କୌଶଳର ଆବଶ୍ୟକତା ମଧ୍ୟ ରହିଛି । ସେଥିପାଇଁ କଟକ ମହାନଦୀର ଗଭୀର ଜଳରାଶିରେ ଉତ୍ତରପ୍ରଦେଶରୁ ଆସିଥିବା SDRF ଟିମ୍ର ସ୍ବତନ୍ତ୍ର ଯବାନମାନେ ପ୍ରଶିକ୍ଷଣ ନେଉଛନ୍ତି । କଳିଙ୍ଗ ଡାଇଭର୍ସ ଗ୍ରୁପର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ସମୁଦ୍ର ବୁଡାଳି ସବୀର ବକ୍ସ ତାଲିମ ଦେଉଛନ୍ତି ।
ବିଶେଷକରି ଉତ୍ତରପ୍ରଦେଶ ବନ୍ୟା ପ୍ରବଣ ରାଜ୍ୟ ହୋଇଥିବାରୁ ସେଠାରେ ସୁରକ୍ଷା ଦୃଷ୍ଟି କୋଣରୁ SDRF ଟିମ୍ ଉପରେ ଗୁରୁ ଦାୟିତ୍ବ ରହିଥାଏ । ତେଣୁ ଏହି ଯବାନମାନେ କିପରି ଗଭୀର ଜଳ ରାଶିରେ ବୁଡି ଲୋକ ଧନ ଜୀବନ ରକ୍ଷା କରି ପାରିବେ ସେନେଇ ଏହି ତାଲିମ ଶିବିରରେ ପ୍ରଶିକ୍ଷଣ ଦିଆଯାଉଛି । ଅକ୍ସିଜେନ ଥଳି ବୋହିବା ଶୈଳୀଠୁ ଆରମ୍ଭ କରି ପ୍ଲାଷ୍ଟିକ ମାସ୍କକୁ ଲମ୍ବା ସମୟ ଧରି ପିନ୍ଧିବା ଓ ଗଭୀର ଜଳରେ କିପରି ବେଶି ସମୟ ନିଜକୁ ରଖି ପାରିବା ସେନେଇ କଡା ତାଲିମ ଦିଆଯାଇଛି ।