ଓଡିଶା

odisha

By ETV Bharat Odisha Team

Published : Oct 23, 2023, 8:39 PM IST

ETV Bharat / state

ଶ୍ରୀକ୍ଷେତ୍ରରେ ଅନନ୍ୟ ପରମ୍ପରା, ଦୁର୍ଗାପୂଜାରେ ପୂଜା ପାଆନ୍ତି ନାଗା ମୂର୍ତ୍ତି

ଶାରଦୀୟ ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର ପୁରୀ । ଦୁର୍ଗାପୂଜାରେ ଗୋଷାଣୀ ଦେଵୀଙ୍କ ସହ ପୂଜା ପାଉଛନ୍ତି ବିଶାଳ ନାଗା ମୂର୍ତ୍ତି । ଏହା ମଧ୍ୟ ପଢ଼ନ୍ତୁ

ଦୁର୍ଗାପୂଜାରେ ପୁଜା ପାଆନ୍ତି ନାଗା ମୂର୍ତ୍ତି
ଦୁର୍ଗାପୂଜାରେ ପୁଜା ପାଆନ୍ତି ନାଗା ମୂର୍ତ୍ତି

ଦୁର୍ଗାପୂଜାରେ ପୁଜା ପାଆନ୍ତି ନାଗା ମୂର୍ତ୍ତି

ପୁରୀ: ଧରାପୃଷ୍ଠରେ ଅବତରଣ କରିଛନ୍ତି ମା' ଜଗଧାତ୍ରୀ । ମନ୍ତ୍ରଧ୍ବନୀ ଓ ପୂଜାପାଠରେ ପ୍ରକମ୍ପିତ ହେଉଛି ପରିବେଶ । ଶାରଦୀୟ ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର ପୁରୀ । ବିଭିନ୍ନ ସାହିରେ ପୂଜା ପାଉଛନ୍ତି ଗୋଷାଣୀ ଦେବୀ । ଏହା ଶ୍ରୀକ୍ଷେତ୍ରର ଏକ ଅନନ୍ୟ ପରମ୍ପରା ହୋଇଥିବା ବେଳେ ଏକ ନିଆରା ପରମ୍ପରା ମଧ୍ଯ ଦେଖିବାକୁ ମିଳିଥାଏ ପୁରୀ ସହରରେ ।

ଦୁର୍ଗାପୂଜାରେ ଗୋଷାଣୀ ଦେଵୀଙ୍କ ସହ ବିଶାଳ ନାଗା ମୂର୍ତ୍ତିଙ୍କୁ ମଧ୍ୟ ପୂଜା କରାଯାଏ । ନାଗା ମୂର୍ତ୍ତିକୁ ପୁରୀ ବାସିନ୍ଦା ବିରତ୍ଵ ଓ ଶକ୍ତିର ପ୍ରତୀକ ଭାବେ ପୂଜା କରିଥାଆନ୍ତି । ଏହି ମୂର୍ତ୍ତିମାନଙ୍କୁ ବାଘ ଛାଲ, ବନ୍ଧୁକ, ଢାଲ, ଓରମାଳ, ହାଣ୍ଡିଆ ଆଦି 16 ପ୍ରକାରର ଅସ୍ତ୍ରଶସ୍ତ୍ର ଦ୍ୱାରା ସଜିତ କରାଯାଇ ପୂଜା କରାଯାଏ । ଏଭଳି ଅନନ୍ୟ ନାଗା ମୂର୍ତ୍ତି ପୂଜା ଅନ୍ୟ କେଉଠି ଥିବାର ନଜିର ନାହିଁ । ଏହି ପୂଜା ଶ୍ରୀକ୍ଷେତ୍ରର ଏକ ସ୍ଵତନ୍ତ୍ର ପରମ୍ପରା ଭାବରେ ବହୁ ପୁରାତନ କାଳକୁ ପ୍ରଚଳିତ ହୋଇଆସୁଛି ।

ଶ୍ରୀକ୍ଷେତ୍ରରେ ଶାରଦୀୟ ଦୁର୍ଗାପୂଜାରେ ବିଶାଳ ନାଗା ମୂର୍ତ୍ତି ପୂଜା ପଛରେ ଏକ ଅନନ୍ୟ କିମ୍ବଦନ୍ତୀ ରହିଛି । ପୁର୍ବରୁ ବିଧର୍ମୀମାନଙ୍କ କବଳରୁ ଶ୍ରୀମନ୍ଦିରକୁ ରକ୍ଷା କରିବା ପାଇଁ ରାଜା କପିଳେନ୍ଦ୍ର ଦେବ ଏହି ପରମ୍ପରା ସୃଷ୍ଠି କରିଥିଲେ । ବହୁ ପ୍ରାଚୀନକାଳରୁ ଏହି ପରମ୍ପରା ପ୍ରଚଳିତ ହୋଇଆସୁଛି । ତେବେ ଏହା ମଧ୍ୟ ବିଶ୍ବାସ କରାଯାଏ ଯେ, ବୀର ପୁରୁଷ ନାଗା ସାଧୁମାନେ ଶ୍ରୀମନ୍ଦିରକୁ ବାହ୍ୟ ଶତ୍ରୁ ଆକ୍ରମଣରୁ ସୁରକ୍ଷା ଦେଉଥିଲେ । ନାଗାମାନେ ପାରମ୍ପରିକ ଯୁଦ୍ଧ କଳାକୌଶଳରେ ବେଶ୍ ମାହିର ଥିଲେ । ସେମାନଙ୍କୁ ସାମ୍ନା କରିବାକୁ ସମସ୍ତେ ଭୟ କରୁଥଲେ । ସେହି ସମୟରୁ ଶ୍ରୀକ୍ଷେତ୍ରରେ ଏହି ପୂଜା ଚାଲିଆସୁଛି । ଶ୍ରୀମନ୍ଦିରରେ ମଧ୍ଯ ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ପରମ୍ପରା ରହିଛି । ତେଣୁ ବିରତ୍ୱ ଓ ଶକ୍ତିର ପ୍ରତୀକ ନାଗାଙ୍କୁ ଶ୍ରୀକ୍ଷେତ୍ରରେ ପୂଜା କରାଯାଇ ଆସୁଛି ।

ଏହା ମଧ୍ୟ ପଢ଼ନ୍ତୁ....ଜମିଲା ମହାନବମୀ ପୂଜା, ପୁରୀ ଦୁର୍ଗାବାଡ଼ିରେ କୁମାରୀ କନ୍ୟାଙ୍କୁ ପୂଜାର୍ଚ୍ଚନା

ତେବେ ପୁରୀ ସହରର ବାଲି ସାହୀ, ହରଚଣ୍ଡି ସାହୀ, ମାର୍କଣ୍ଡଶ୍ୱର ସାହୀ, ଦୋଳ ମଣ୍ଡପ ସାହୀ, ହେରା ଗୋହିରି ସାହୀ, ନରେନ୍ଦ୍ର କୋଣ ଓ ବଳଗଣ୍ଡି ଛକରେ ବିଶାଳ ନାଗା ମୂର୍ତି ନିର୍ମାଣ କରାଯାଇ ପୂଜା କରାଯାଏ । ଗୋଷାଣୀ ଦେବୀଙ୍କ ବିସର୍ଜନ ଦିନ ଏହି ନାଗା ମୂର୍ତ୍ତି ଗୁଡିକ ବିସର୍ଜନ କରାଯାଇଥାଏ । ଶାରଦୀୟ ଦୁର୍ଗାପୂଜାରେ ଗୋଷାଣୀ ପୁଜା ସହ ନାଗା ମୂର୍ତ୍ତି ପୂଜାର ଏକ ନିଆରା ପରମ୍ପରା ରହିଛି । ଦୁର୍ଗାପୂଜାରେ ଗୋଷାଣୀ ମୂର୍ତ୍ତି ସହ ନାଗା ମୂର୍ତ୍ତି ଦେଖିବକୁ ପୁରୀ ସହରକୁ ବହୁ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ହେଇଥାଏ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details