କଟକ:ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଆଇନଜୀବୀ ଶିବ ଶଙ୍କର ମିଶ୍ର ଓ ବିଚାରବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ନିଯୁକ୍ତି ମିଳିଛି । ରାଷ୍ଟ୍ରପତିଙ୍କ ମୋହର ପରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଏସ.କେ କୌଲ ଓ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ କଲେଜିଏମ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି ।
କଲେଜିୟମଙ୍କ ସୁପାରିଶକୁ ରାଷ୍ଟ୍ରପତିଙ୍କ ମୋହର ୨୦୨୩ ଜାନୁଆରୀ ୧୭ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଅନ୍ୟ ଦୁଇ ବରିଷ୍ଠତମ ବିଚାରପତିଙ୍କ ସହିତ ପରାମର୍ଶ କରି ମିଶ୍ର ଓ ବେହେରାଙ୍କ ନାଁ ସୁପାରିସ କରିଥିଲେ । ଏହି ସୁପାରିସ ସହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ସହମତ ହୋଇଥିଲେ । ଏହାପରେ ମିଶ୍ର ଓ ବେହେରାଙ୍କ ନିଯୁକ୍ତି ସମ୍ପର୍କିତ ପ୍ରସ୍ତାବକୁ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଗ୍ରହଣ କରାଯିବା ସହିତ ଏ ନେଇ ସୁପାରିସ କରାଯାଇଛି।
ଏହା ବି ପଢନ୍ତୁ- ଶପଥ ନେଲେ ଓଡିଶା ହାଇକୋର୍ଟର ୨ ନୂଆ ବିଚାରପତି
କଲେଜିୟମଙ୍କ ସୁପାରିଶକୁ ରାଷ୍ଟ୍ରପତିଙ୍କ ମୋହର ଶିବ ଶଙ୍କର ମିଶ୍ର ଜୟପୁରଠାରେ ୧୯୬୮ ମେ ୩ରେ ଜନ୍ମଗ୍ରହଣ କରିଥିଲେ । କୋରାପୁଟର ଜୟପୁର ଲ' କଲେଜରୁ ସେ ଏଲଏଲବି ଡିଗ୍ରି ହାସଲ କରିଥିଲେ । ୧୯୯୧ରୁ ସେ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଛନ୍ତି । ସେହିଭଳି ଭାବେ ଆନନ୍ଦ ଚନ୍ଦ୍ର ବେହେରା ୧୯୬୪, ମେ ୨୩ରେ ଜନ୍ମ ଗ୍ରହଣ କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ସେ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ବେହେରା ରାଜ୍ୟ ଭିଜିଲାନ୍ସରେ ଲିଗାଲ ଆଡଭାଇଜର ଭାବରେ କାର୍ଯ୍ୟରତ ଅଛନ୍ତି ।
ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ସମ୍ପର୍କିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ମିଶ୍ର ୧୯୯୧, ଡିସେମ୍ବର ୭ରେ ଆଇନଜୀବୀ ଭାବେ ପଞ୍ଜୀକୃତ ହୋଇଥିଲେ । ତାଙ୍କର ୩୦ ବର୍ଷର ଆଇନଜୀବୀ ଭାବେ ଅନୁଭବ ରହିଛି। ଦେୱାନୀ, ଫୌଜଦାରୀ ଓ ଚାକିରି ସମ୍ପର୍କିତ ଆଇନରେ ତାଙ୍କ ସ୍ବତନ୍ତ୍ର ଦକ୍ଷତା ରହିଛି । ସୁପ୍ରିମକୋର୍ଟରେ ସେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ ଅନ ରେକର୍ଡ ଅଛନ୍ତି । ସୁପ୍ରିମକୋର୍ଟରେ ସେ ଓଡ଼ିଶା ହାଇକୋର୍ଟ ଓ କେନ୍ଦ୍ର ସରକାରଙ୍କ ପାଇଁ ଆଇନଜୀବୀ ଭାବେ ମାମଲା ପରିଚାଳନା କରୁଛନ୍ତି ।
ତାଙ୍କର ଅତି ଉତ୍ତମ ବ୍ୟକ୍ତିଗତ ଓ ପେସାଗତ ଭାବମୂର୍ତ୍ତି ରହିଛି । ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ମିଶ୍ର ଉପଯୁକ୍ତ ବୋଲି ସୁପ୍ରିମକୋର୍ଟ କଲେଜିୟମ ସମ୍ପର୍କିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ସେହିଭଳି ଭାବେ ବେହେରା ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଚାରବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କର ଉତ୍ତମ ବ୍ୟକ୍ତିଗତ ଓ ପେସାଗତ ଭାବମୂର୍ତ୍ତି ରହିଛି । ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ବେହେରା ଉପଯୁକ୍ତ ବୋଲି ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତି ସମ୍ପର୍କିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।
ଓଡ଼ିଶା ହାଇକୋର୍ଟ କଲେଜିୟମ ଅନ୍ୟ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀଙ୍କ ନାଁ ଅନୁମୋଦନ ନ କରି, ବିଚାରପତି ଭାବେ ନିଯୁକ୍ତି ପାଇଁ ବେହେରାଙ୍କ ନାଁ ପ୍ରସ୍ତାବ ଦେଇଥିଲେ । ଓଡ଼ିଶା ହାଇକୋର୍ଟ କଲେଜିୟମରେ ଗ୍ରହଣ କରାଯାଇଥିବା ପ୍ରସ୍ତାବରେ ଏ ନେଇ କେତେକ କାରଣ ଦର୍ଶାଯାଇଥିଲା । ହାଇକୋର୍ଟ କଲେଜିୟମ ମତ ସହିତ ସୁପ୍ରିମକୋର୍ଟ କଲେଜିୟମ ସହମତ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।
ଇଟିଭି ଭାରତ, କଟକ