ଓଡିଶା

odisha

ETV Bharat / state

ଜମୁଛି ରଜ ବଜାର, ପରଦାକୁ ଆସିଲା 'ଗୁଡୁ ଗ୍ୟାଙ୍ଗ ଷ୍ଟାର' ଓ 'ଲଭ ଇନ ଲଣ୍ଡନ'

ପରଦାକୁ ଆସିଲା ଓଲିଉଡର ଦୁଇ ସୁପରଷ୍ଟାରଙ୍କ ଫିଲ୍ମ । କଟକର ବୃନ୍ଦାବନ ସିନେମା ହଲରେ 'ଗୁଡୁ ଗ୍ୟାଙ୍ଗଷ୍ଟର' ଓ ସଙ୍ଗମ ହଲରେ ଫିଲ୍ମ 'ଲଭ ଇନ ଲଣ୍ଡନ' ମୁକ୍ତିଲାଭ କରିଛି । ଅଧିକ ପଢ଼ନ୍ତୁ

By

Published : Jun 13, 2023, 9:26 PM IST

two new Ollywood movie released
ପରଦାକୁ ଆସିଲା ଓଲିଉଡର ଦୁଇ ସୁପରଷ୍ଟାରଙ୍କ ଫିଲ୍ମ

ପରଦାକୁ ଆସିଲା ଓଲିଉଡର ଦୁଇ ସୁପରଷ୍ଟାରଙ୍କ ଫିଲ୍ମ

କଟକ: ଏଥର ଜମିବ ରଜ ବଜାର । ଗୋଟିଏ ଦିନରେ ଦୁଇ ସୁପରଷ୍ଟାରଙ୍କ ଫିଲ୍ମ ରିଲିଜ ହୋଇଛି । ଗୋଟିଏ ପଟେ ସିଦ୍ଧାନ୍ତ ମହାପାତ୍ରଙ୍କ 'ଗୁଡୁ ଗ୍ୟାଙ୍ଗଷ୍ଟାର' ଅନ୍ୟପଟେ ଅନୁଭବ ମହାନ୍ତିଙ୍କ 'ଲଭ ଇନ ଲଣ୍ଡନ' । କଟକର ବୃନ୍ଦାବନ ସିନେମା ହଲରେ 'ଗୁଡୁ ଗ୍ୟାଙ୍ଗଷ୍ଟର' ସିନେମା ମୁକ୍ତିଲାଭ କରିଛି । ଅନାସ୍ମିଶ ପ୍ରଡକ୍ସନ ନିବେଦିତ ଏହି ଦ୍ୱିତୀୟ ଚଳଚ୍ଚିତ୍ରରେ ଲଭ, ରୋମାନ୍ସ, କମେଡି ଓ ଆକ୍ସନ ଭରପୁର ହୋଇ ରହିଛି । ଓଲିଉଡର ବରିଷ୍ଠ କଳାକାର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କୁ ଦୀର୍ଘ ଦିନର ବ୍ୟବଧାନ ପରେ ଓଡ଼ିଆ ଦର୍ଶକ ଦେଖିବାକୁ ପାଇବେ 'ଗୁଡୁ ଗ୍ୟାଙ୍ଗଷ୍ଟର' ସିନେମାରେ । ତାଙ୍କ ସହ ଅଭିନେତା ଶୈଳେନ୍ଦ୍ର ଓ ଅଭିନେତ୍ରୀ ଶିବାନୀଙ୍କ ଦମଦାର ଅନସ୍କ୍ରିନ ରୋମାନ୍ସ ସହିତ ନମ୍ରତା ଥାପ୍ପାଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ମତୁଆଲା କରିବ ବୋଲି ପ୍ରଯୋଜନା ସଂସ୍ଥା ବିଶ୍ୱାସ ରଖିଛି ।

'ଗୁଡୁ ଗ୍ୟାଙ୍ଗଷ୍ଟର' ସିନେମାଟିରେ ଶେଷ ପର୍ଯ୍ୟନ୍ତ ସସପେନ୍ସ ରହିଛି । ଅସମ ନିଜାମଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ସିନେମାରେ ଥିବା ପାଞ୍ଚଟି ଗୀତରେ ଅନ୍ତରା ଚକ୍ରବର୍ତ୍ତୀ, ଅସୀମା ପଣ୍ଡା, ହ୍ୟୁମାନ ସାଗର, ସ୍ବୟମ, କୂଳଦୀପ କଣ୍ଠଦାନ କରିଥିବା ବେଳେ ପ୍ରମୋସନ ସଙ୍ଗୀତକୁ ଗାଇଛନ୍ତି ସୂର୍ଯ୍ୟମୟୀ । ଓଡ଼ିଆ ସିନେମାରେ ଏକ ବିଗ ବିଜେଟର ସିନେମା 'ଗୁଡୁ ଗ୍ୟାଙ୍ଗଷ୍ଟର' । ସଂପୂର୍ଣ୍ଣ ମୌଳିକ କାହାଣୀ ଉପରେ ପର୍ଯ୍ୟବେସିତଏହି ସିନେମାର ରଚନା, ସଂଳାପ ଓ ଚିତ୍ରନାଟ୍ୟ ଭଳି ଗୁରୁ ଦାୟିତ୍ୱ ବହନ କରିଛନ୍ତି ଭରଦ୍ୱାଜ ପଣ୍ଡା । ପ୍ରୀତମ ସାହୁଙ୍କ ପ୍ରଯୋଜନାରେ ଦେଢ଼ କୋଟି ବଜେଟରେ ଏହି ସିନେମା ନିର୍ମିତ ହୋଇଥିବା ବେଳେ ସିନେମା ଲୋକଙ୍କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବ ପ୍ରଯୋଜକ ଆଶା ରଖିଛନ୍ତି । ତେବେ ଦୀର୍ଘ ଦିନ ପରେ ଓଡ଼ିଆ ଦର୍ଶକଙ୍କୁ ଏଭଳି ଏକ ସିନେମା ଚର୍ଚ୍ଚିତ ନିର୍ଦ୍ଦେଶକ ଅଶୋକ ପତି ଭେଟି ଦେଇଥିବାରୁ ସିନେମାରେ ଥିବା ବିରଳ ଓ ଅଲୌକିକ ଘଟଣା ଦର୍ଶକ ମାନଙ୍କୁ ବାନ୍ଧି ରଖିବ ବୋଲି ଆଶା କରାଯାଉଛି ।

ଅନ୍ୟପଟେ ଆଜି କଟକର ସଙ୍ଗମ ହଲରେ ଅନୁଭବ ମହାନ୍ତିଙ୍କ ଫିଲ୍ମ 'ଲଭ ଇନ ଲଣ୍ଡନ' ମୁକ୍ତିଲାଭ କରିଛି । ଜେବି ଫିଲ୍ମସ୍ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି ବ୍ୟାନରରେ ରଜ ଉପଲକ୍ଷେ ମୁକ୍ତିଲାଭ କରିଛି ସୁପରଷ୍ଟାର ଅନୁଭବ ମହାନ୍ତି ଅଭିନୀତ ବିଗ ବଜେଟର ଫିଲ୍ମ 'ଲଭ ଇନ ଲଣ୍ଡନ' l ଦୀର୍ଘ ୬ ବର୍ଷ ପରେ ରଜରେ ଅନୁଭବଙ୍କ ସିନେମା ମୁକ୍ତିଲାଭ କରିଥିବାରୁ କଟକ ସ୍ଥିତ ସଙ୍ଗମ ସିନେମା ହଲରେ ପ୍ରବଳ ଭିଡ ସହ ଟ୍ରାଫିକ ଜାମ ଅନୁଭବଙ୍କ ଲୋକପ୍ରିୟତା ପରିଲକ୍ଷିତ ହୋଇଥିଲା । ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହିତ ତାଙ୍କର ଦୁଇ ନବାଗତ ନାୟିକା ସ୍ୱପ୍ନା ପ୍ରିୟଦର୍ଶିନୀ ଓ ସୌମ୍ୟା ସଚ୍ଚଦେବା, ଅଭିନେତା ସରୋଜ, ଲାଇନ୍‌‌ ପ୍ରଡ୍ୟୁସର ଦେବେନ୍ଦ୍ର ଜଗଦଲ୍, ସୁରଜ ମହାନତା, ନିର୍ଦ୍ଦେଶକ ତାପସ ସରଘରିଆ, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ, ଗୀତିକାର ଡଃ ନିର୍ମଳ ନାୟକ, ଆମର ମ୍ୟୁଜିକ ଓଡିଶା ହେଡ୍ ଦେବାଶିଷ ପଣ୍ଡା, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀଙ୍କ ଅନ୍ୟାନ୍ୟ ସମସ୍ତ କଳାକାର ଉପସ୍ଥିତ ଥିଲେ l

ଫିଲ୍ମ 'ଲଭ ଇନ ଲଣ୍ଡନ'ରେ ଏକା ସାଙ୍ଗରେ ୪ ଜଣ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, ଅସଦ ନିଜାମ, ଡଃ ବିନୟ ରଥ ଏବଂ ସୋମେଶ ଶତପଥି ଥିବା ବେଳେ କଣ୍ଠଶିଳ୍ପୀ ଅସୀମା ପଣ୍ଡା, ହ୍ୟୁମାନ ସାଗର, କୁଲଦୀପ ପଟ୍ଟନାୟକ, ସ୍ମୃତିକା କଣ୍ଠଦାନ କରିଛନ୍ତି । ଫିଲ୍ମ "ଲଭ ଇନ ଲଣ୍ଡନ" ଓଡ଼ିଶାର ୬୩ଟି ପ୍ରେକ୍ଷାଳୟରେ ୧୮୦ରୁ ଊର୍ଦ୍ଧ୍ବ ସୋ ଚାଲିଛି ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ଦେଇଛନ୍ତି । ଆଜି ପ୍ରଥମ ଦିନ ପ୍ରଥମ ସୋ'ରେ ଅନୁଭବ ପ୍ରେମୀ ଦର୍ଶକମାନଙ୍କ ମନରେ ଅନେକ ଉତ୍କଣ୍ଠା ଦେଖିବାକୁ ମିଳିଥିଲା l ଦୀର୍ଘ ୬ ବର୍ଷ ପରେ ରଜରେ ଅନୁଭବ ମହାନ୍ତିଙ୍କ ଫିଲ୍ମ ଆସୁଥିବାରୁ ଅନେକ ଦର୍ଶକ ଅନୁଭବଙ୍କ ସହିତ ସିଧାସଳଖ କଥା ହୋଇ ନିଜର ଉତ୍କଣ୍ଠା ପ୍ରକାଶ କରିଥିଲେ l ଏନେଇ ଅନୁଭବ କହିଛନ୍ତି, "ରଜ ଆମ ଓଡ଼ିଶା ମାଟିର ଗଣ ପର୍ବ, ତେଣୁ ଆମେ ପ୍ରୟାସ କରିଛୁ ଭଲ ସ୍ୱାଦର ଫିଲ୍ମ ଆପଣମାନଙ୍କୁ ଭେଟି ଦେବୁ l ଯାହା ସପରିବାର ନିକଟସ୍ଥ ପ୍ରେକ୍ଷାଳୟକୁ ଆସି ଦେଖିପାରିବେ l ଆଶା କରୁଛି ଏହି ଫିଲ୍ମଟିକୁ ଦର୍ଶକ ଭଲ ପାଇବା ଦେବେ ।"

ଇଟିଭି ଭାରତ, କଟକ

ABOUT THE AUTHOR

...view details