କଟକ: ନିଶା ଖାଇ ବଚସା କରିବା ହେଲା କାଳ । ନିଶାସକ୍ତ ଅବସ୍ଥାରେ ଦୁଇ ଅଟୋ ଚାଳକଙ୍କ ମଧ୍ୟରେ ହାତାହାତି ହେବାରୁ, ଜଣେ ଚାଳକଙ୍କ ମୃତ ଘଟିଛି । ଏଭଳି ଏକ ଅଘଟଣ ଘଟିଛି କଟକ ଚଣ୍ଡୀ ଛକରେ । ମୃତକ ଜଣକ ହେଉଛନ୍ତି କଟକ ସତୀଚୌରା ଇଦଘା କଲୋନୀର ବାସିନ୍ଦା ମହମ୍ମଦ ରୋସନ । ଆଜି ଅପରାହ୍ନ ପ୍ରାୟ ୩ ଟା ରୁ ୩.୩୦ ମଧ୍ୟରେ ଏହି ଅଘଟଣ ଘଟିଛି । ପୋଲିସ ଜଣେ ଅଟୋ ଚାଳକକୁ ଅଟକ ରଖିଥିବା ସୂଚନା ।
ମିଳିଥିବା ସୂଚନା ମୁତାବକ ଦୁଇ ଅଟୋଚାଳକ ନିଶା ସେବନ କରିଥିଲେ । କଟକ ଚଣ୍ଡୀଛକ ନିକଟରେ କୌଣସି ଏକ କାରଣରୁ ବଚସା ହୋଇଥିଲା । ଏହି ବଚସା କିଛି ସମୟ ପର୍ଯ୍ୟନ୍ତ ଚାଲିଥିଲା । ଉଭୟ ଉଭୟଙ୍କୁ ଠେଲାପେଲା ବି କରିଥିଲେ । ଏପରିକି ହାତାହାତି ହୋଇଥିଲେ ଉଭୟ । ମାତ୍ର କିଛି ସମୟ ଏପରି ଉଭୟଙ୍କ ମଧ୍ୟରେ ଚାଲିବା ପରେ ଜଣେ ଚାଳକ ଅନ୍ୟ ଜଣେ ଚାଳକଙ୍କୁ(ରୋସନ) ଠେଲି ଦେଇଥିଲା । ଭାରସାମ୍ୟ ହରାଇ ରୋସନ ତଳେ ପଡି ଯାଇଥିଲା । ତେବେ ପାଖରେ ଥିବା ଏକ ଲୁହା ବାରିକେଡରେ ମୁଣ୍ଡ ବାଜିବାରୁ ସେ ତଳେ ପଡ଼ିଯାଇଥିଲା । ହଠାତ୍ ବେହୋସ ହୋଇପଡିଥିଲା । ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ସହାୟତାରେ ଚିକିତ୍ସା ପାଇଁ ରୋସନକୁ କଟକ ବଡ଼ ମେଡିକାଲ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ଅନ୍ୟ ଜଣେ ଚାଳକଙ୍କୁ ଥାନାକୁ ନେଇ ଅଟକ ରଖିବା ସହ ପଚରାଉଚରା ମଧ୍ୟ ଚଳାଇଛି ପୋଲିସ ।