କଟକ:ସୁଦୂର ନେପାଳରୁ ୩ ଜଣ ସମ୍ପର୍କୀୟଙ୍କ ସହ ଭାରତ ବୁଲିବାକୁ ଆସିଥିଲେ ୧୫ ବର୍ଷୀୟ ରାମାନନ୍ଦ । ସମସ୍ତେ ଶାଲିମାରରୁ କରମଣ୍ଡଳ ଏକ୍ସପ୍ରେସରେ ବସିଥିଲେ । ବାଟରେ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଭାରତ ଆସିଥିବା ନିଜ ପିଲାଙ୍କର ଆଉ କୌଣସି ଖୋଜ ଖବର ପାଇନଥିଲେ ନେପାଳରେ ରହୁଥିବା ବାପାମାଆ । ପୁଅ ମୃତ କି ଜୀବିତ ତାହା ବି ଜାଣିନଥିଲେ । ତେଣୁ ପୁଅକୁ ଖୋଜିବାକୁ ନେପାଳରୁ ଓଡ଼ିଶା ଚାଲି ଆସିଥିଲେ । ଏ ହସ୍ପିଟାଲରୁ ସେ ହସ୍ପିଟାଲକୁ ବୁଲି ବୁଲି ପୁଅକୁ ଖୋଜୁଥିଲେ । ଶେଷରେ ଦୁର୍ଘଟଣାର ୩ ଦିନ ପରେ କଟକ ବଡ ମେଡିକାଲ ବେଡ୍ରେ ନିଖୋଜ ୧୫ ବର୍ଷୀୟ ନାବାଳକ ପୁଅକୁ ଫେରି ପାଇଛନ୍ତି ବାପାମାଆ । ପୁଅକୁ ଜୀବିତ ଦେଖି ଖୁସିରେ ଫାଟି ପଡିଛନ୍ତି ଏହି ନେପାଳ ଦମ୍ପତି । ଯାହା ସମ୍ପର୍କରେ ଏସସିବି ପକ୍ଷରୁ ସୂଚନା ଦିଆଯାଇଛି ।
ସାଥିରେ ଆସିଥିବା ୩ ଜଣ ଆଖି ବୁଜିଥିଲେ:
ରାମାନନ୍ଦ ପାଶୱାନି ନାମକ ୧୫ ବର୍ଷୀୟ ନାବାଳକ ନିଜର ୩ ଜଣ ସମ୍ପର୍କୀୟଙ୍କ ସହ କୋଲକାତା ଆସିଥିଲେ । ସେଠାରେ କରମଣ୍ଡଳ ଟ୍ରେନରେ ବସି ଯାତ୍ରା କରୁଥିଲେ । କିନ୍ତୁ ଏହି ଯାତ୍ରା ଯେ ସେମାନଙ୍କ ଶେଷ ଯାତ୍ରା ହେବ କେହି ଜାଣିନଥିଲେ । ବାଲେଶ୍ବର ବାହାନଗା ଠାରେ ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରେନ । ଏଥିରେ ରାମାନନ୍ଦଙ୍କ ସାଥିରେ ଆସିଥିବା ଅନ୍ୟ ୩ ଜଣ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଗଲା । କିନ୍ତୁ କୌଣସି ଚମତ୍କାର ଭଳି ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ରାମାନନ୍ଦ । ଗୁରୁତର ଅବସ୍ଥାରେ ସେ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଥିଲେ ।