କଟକ: ବଞ୍ଚିଲା ମହିଳାଙ୍କ ଜୀବନ। ମଧୁପାଟଣା ଓଭର ବ୍ରିଜ ଉପରେ ଆତ୍ମହତ୍ୟା କରିବା ପାଇଁ ଯାଉଥିଲା ବେଳେ ଉଦ୍ଧାର କଲେ ସ୍ଥାନୀୟ ଟ୍ରାଫିକ କନେଷ୍ଟବଳ । କର୍ତ୍ତବ୍ୟ ଓ ମହାନ ମାନବିକତା ସହ ଉପସ୍ଥିତ ବୁଦ୍ଧି ଯୋଗୁଁ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି ପୋଲିସ କର୍ମଚାରୀ । କଟକ ମଧୁପାଟଣା ବ୍ରିଜ ଉପରୁ ପିଲାକୁ ଧରି ଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳାଙ୍କୁ ଟାଣି ଆଣି ଜୀବନ ବଞ୍ଚାଇଲେ ଟ୍ରାଫିକ ପୋଲିସ କର୍ମଚାରୀ ତପନ କୁମାର ଦାସ । ତେବେ ଏହି ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି।
ଘଟଣାଟି ଥିଲା ଏମିତି:-ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ମହିଳା ଜଣକ ତିଗିରିଆ ଅଞ୍ଚଳର ବୋଲି ଜଣାପଡିଛି । ପାରିବାରିକ କଳହ ଯୋଗୁଁ ଏପରି ଚରମ ନିଷ୍ପତ୍ତି ନେବା ଉଦ୍ଦେଶ୍ୟରେ କଟକ ମଧୁପାଟଣା ଲିଙ୍କ ରୋଡ୍ ଓଭର ବ୍ରିଜ ଉପରକୁ ଚଢି ଯାଇଥିଲେ। ଏହାପରେ ଚାହୁଁ ଚାହୁଁ ସେ ବ୍ରିଜ ତଳକୁ ଡେଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ତେବେ ସେଠାରେ ଥିବା ଲୋକମାନେ ପାଟି ତୁଣ୍ଡ କରିବା ପରେ ସ୍ଥାନୀୟ ଟ୍ରାଫିକ କର୍ମଚାରୀ ଉକ୍ତ ମହିଳାଙ୍କୁ ରକ୍ଷା କରିବା ପାଇଁ ବ୍ରିଜ ଉପରକୁ ଚଢି ଯାଇଥିଲ ଓ ଉଭୟ ମାଆ ତା ପିଲାକୁ ସୁରକ୍ଷିତ ଭାବେ ରକ୍ଷା କରିଥିଲେ ।