ଓଡିଶା

odisha

By

Published : Jul 13, 2023, 10:59 AM IST

Updated : Jul 13, 2023, 1:35 PM IST

ETV Bharat / state

ବାଲିପାଟଣାରେ ଅଜଣା ଜନ୍ତୁ ଆତଙ୍କ: ଲୋକେ କହିଲେ ବାଘ, ବନ ବିଭାଗ କହୁଛି ହେଟା ବାଘ

ଖୋର୍ଦ୍ଧା ବାଲିପାଟଣା ଅଞ୍ଚଳରେ ଅଜଣା ଜନ୍ତୁ ଆତଙ୍କ । ଲୋକେ କହୁଛନ୍ତି ବାଘ । ବନ ବିଭାଗ କହୁଛି ହେଟା ବାଘ । ଅଧିକ ପଢ଼ନ୍ତୁ

ବାଲିପାଟଣାରେ ଅଜଣା ଜନ୍ତୁ ଆତଙ୍କ
ବାଲିପାଟଣାରେ ଅଜଣା ଜନ୍ତୁ ଆତଙ୍କ

ବାଲିପାଟଣାରେ ଅଜଣା ଜନ୍ତୁ ଆତଙ୍କ

ନିଆଳି: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଅଞ୍ଚଳରେ ପୁଣିଥରେ ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି । ବାଲିପାଟଣା ପୁବାଗଡ଼ରେ ବାଘ ଭଳି ଏକ ଜନ୍ତୁ ବୁଲୁଥିବାର ଚର୍ଚ୍ଚା ହେଉଛି । ଯାହାକୁ ନେଇ ଏବେ ଆତଙ୍କିତ ହୋଇପଡିଛନ୍ତି ମେଷ ପାଳକ । ସେହି ଜନ୍ତୁଟିକୁ ସ୍ଥାନୀୟ ଲୋକେ ବାଘ ବୋଲି କହୁଥିବା ବେଳେ ଏହା ଯେ, ଏକ ହେଟା ବାଘ ବୋଲି କହିଛି ବନ ବିଭାଗ । ଅତୀତରେ ଅଜଣା ଜନ୍ତୁ ଆକ୍ରମଣରେ ସ୍ଥାନୀୟ ଅଞ୍ଚଳରେ ବହୁ ମେଣ୍ଢାଙ୍କ ଜୀବନ ଯାଇଥିଲା । ଆଜି ଯାଏଁ ସେହି ଜନ୍ତୁ ବିଷୟରେ କିଛି ସ୍ପଷ୍ଟ ହୋଇନଥିବା ବେଳେ ଦୁଇ ଦିନ ହେଲା ବାଲିପାଟଣା ଅଞ୍ଚଳରେ ପୁଣି ବାଘ ଭଳି ଜନ୍ତୁ ଦେଖାଯିବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଏହି ଜନ୍ତୁଟି ପୁବାଗଡ଼ ଅଞ୍ଚଳରେ ବୁଲୁଥିବା ସମୟରେ କେହି ଜଣେ ଯୁବକ ଭିଡିଓଟି ଉତ୍ତୋଳନ କରିଥିବା ସୂଚନା ମିଳିଛି ।‌ ବାଳକାଟି ରେଞ୍ଜ ପକ୍ଷରୁ ଏହା ହେଟା ବାଘ ବୋଲି କୁହାଯାଉଛି । ତେବେ ଏହି ଜନ୍ତୁଟି କେଉଁ ପ୍ରକାରର ସ୍ପଷ୍ଟ ହୋଇପାରୁ ନାହିଁ । ଜନ୍ତୁ ସବୁ କେଉଁଠୁ ଆସୁଛନ୍ତି ଏବଂ କେଉଁଠି ରହୁଛନ୍ତି ସେନେଇ କାହାରି ପାଖରେ ଖବର ନାହିଁ ।

ଏହାମଧ୍ୟ ପଢନ୍ତୁ: ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ, 3 ମେଣ୍ଢା ମୃତ

ମିଳିଥିବା ସୂଚନା ଅନୁସାରେ, ବାଲିପାଟଣା ବ୍ଲକ ପୁବାଗଡ଼ରେ ଜଣେ ଯୁବକ ପଦ୍ମ ପୋଖରୀ ନିକଟକୁ ଯାଇଥିଲେ । ବାଘ ଭଳି ଦେଖାଯାଉଥିବା ଗୋଟିଏ ଜନ୍ତୁ ସେଠାରେ ବୁଲୁଥିବା ସେ ଦେଖିଥିଲେ । ଜନ୍ତୁଟି ଦେଖିବାକୁ ବାଘ ପରି ଏବଂ ଖାଦ୍ୟ ଅନ୍ବେଷଣରେ ପୋଖରୀ ନିକଟକୁ ଆସିଥାଇ ପାରେ ବୋଲି ଯୁବକ ଜଣକ ଅନୁଭବ କରିଥିଲେ । ସେ ନିଜ ମୋବାଇଲ ଫୋନରେ ତା'ର ଭିଡିଓ ଉତ୍ତୋଳନ କରିଥିଲେ । ଏହି ଭିଡିଓ ଭାଇରାଲ ହେଲା ପରେ ଲୋକମାନେ ଦେଖି ଆତଙ୍କିତ ହେବା ସହିତ ମେଷ ପାଳକ ଚିନ୍ତାରେ ପଡି ଯାଇଛନ୍ତି । ନିକଟରେ ଜଙ୍ଗଲ ନଥିବାରୁ ଏହି ଜନ୍ତୁ କେଉଁଠୁ ଆସିଲା ବୋଲି ପ୍ରଶ୍ନ ଉଠିଛି ।

ବାଳକାଟି ରେଞ୍ଜ ଅଧିକାରୀ ମାନସ ରଞ୍ଜନ ମହାନ୍ତି କହିଛନ୍ତି ଯେ, ବାଲିପାଟଣା ଅଞ୍ଚଳରେ ବାଘ ନାହାଁନ୍ତି । ଏହି ଭିଡିଓରୁ ଜନ୍ତୁଟି ହେଟା ବାଘ ବୋଲି ଜଣାପଡୁଛି । କିନ୍ତୁ ଲୋକଙ୍କ ମନରେ ବାଘ ଛନକା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ ଗତ କିଛି ମାସ ତଳେ ପୁଣିଥରେ ଏହି ଅଞ୍ଚଳରେ ଅଜଣା ଜନ୍ତୁର ଆତଙ୍କ ସୃଷ୍ଟି ହୋଇଥିଲା । ଅଜଣା ଜନ୍ତୁଙ୍କ ଆକ୍ରମଣରେ ନିଆଳି, କଣ୍ଟାପଡ଼ା ଏବଂ ବାଲିପାଟଣା ଓ ବାଲିଅନ୍ତାରେ ହଜାର ହଜାର ମେଣ୍ଢାଙ୍କ ଜୀବନ ଯାଇଥିଲା । ତେଣୁ ଏବେ ଆଉ ଗୋଟିଏ ଜନ୍ତୁ ଚର୍ଚ୍ଚା ଉଠିବା ପରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ବନ ବିଭାଗ ପକ୍ଷରୁ ଏହା କୌଣସି ହିଂସ୍ର ବନ୍ୟପ୍ରାଣୀ ନୁହେଁ ବୋଲି ସୂଚନା ଦିଆଯାଇଛି ।

ଇଟିଭି ଭାରତ, ନିଆଳି

Last Updated : Jul 13, 2023, 1:35 PM IST

ABOUT THE AUTHOR

...view details