କଟକ: ନିଜ ଝିଅ ପରି ପାଳିଥିଲେ ବାଘୁଣୀକୁ । ନାଁ ଦେଇଥିଲେ ଖଇରୀ । ଲୋ ଖଇରୀ..ଲୋ ଖଇରୀ ଆଆ ଡାକି ଦେଲେ ଚାଲିଆସୁଥିଲା ପାଖକୁ । କେତେ ସ୍ନେହ କେତ ଶ୍ରଦ୍ଧା, କୋଳରେ ଶୋଉଥିଲା, ଗେଲ ହେଉଥିଲା ବାଘୁଣୀ । ଖଇରୀକୁ ନିଜଠାରୁ ଅଧିକ ଭଲ ପାଉଥିଲେ ସେ, ମା’ର ସ୍ନେହ ଆଗରେ ପଶୁତ୍ବର ହିଂସ୍ରତାକୁ ହାର ମନେଇଥିବା ସାହସୀ ମହିଳା, ନାଁ ତାଙ୍କ ଥିଲା ନିହାର ନଳିନୀ । ଏବେ ବୟସର ଅପରାହ୍ନରେ. ବୃଦ୍ଧାଶ୍ରମରେ କଟୁଛି ଜୀବନ । ପାଖରେ ନାହାଁନ୍ତି କେହି ନାହାଁନ୍ତି, ନାଁ ଅଛି ନିଜ ଠାରୁ ଅଧିକ ଭଲ ପାଉଥିବା ଖଇରୀ, ହେଲେ ଏବେ ଖନେଇଖନେଇ କହୁଛନ୍ତି ଖଇରୀ କଥା, ମନେ ପକାଉଛନ୍ତି । ଖଇରୀ ସହ ବିତାଇଥିବା ସମୟ ଆଉ ଅଭୁଲା ସ୍ମୃତି ସବୁ.. କେତେ ବେଳେ ବାହୁନୁଛନ୍ତି କେତେବେଳେ ଭାବି ଭାବି ଲୁହ ଝରାଉଛନ୍ତି । ବୃଦ୍ଧାଶ୍ରମରେ ବାଘୁଣି ସହ ବିତାଇଥିବା ସଂପର୍କକୁ ସାଉଁଟୁଛନ୍ତି..
ମନେପଡୁଛି ଖଇରୀ, 92 ବର୍ଷ ବୟସରେ ଗୁମୁରି କାନ୍ଦୁଛନ୍ତି ନିହାର ନଳିନୀ - ଖଇରୀ ବାଘ କାହାଣୀ
ବାଘୁଣୀ ଖଇରୀକୁ ନିଜଠାରୁ ଅଧିକ ଭଲ ପାଉଥିଲେ ସେ । ମା’ର ସ୍ନେହ ଆଗରେ ପଶୁତ୍ବର ହିଂସ୍ରତାକୁ ହାର ମନେଇଥିବା ସାହସୀ ମହିଳା, ନାଁ ତାଙ୍କ ଥିଲା ନିହାର ନଳିନୀ । ଏବେ ବୟସର ଅପରାହ୍ନରେ, ବୃଦ୍ଧାଶ୍ରମରେ କଟୁଛି ଜୀବନ । ପାଖରେ ନାହାଁନ୍ତି କେହି, ନାଁ ଅଛି ନିଜ ଠାରୁ ଅଧିକ ଭଲ ପାଉଥିବା ଖଇରୀ, ହେଲେ ଏବେ ଖନେଇଖନେଇ କହୁଛନ୍ତି ଖଇରୀ କଥା, ମନେ ପକାଉଛନ୍ତି ।
ବର୍ଷଥିଲା 1974 ମସିହା । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ତତ୍କାଳୀନ ନିର୍ଦେଶକ ତଥା ସ୍ବାମୀ ସରୋଜ ରାୟ ଚୌଧୁରୀଙ୍କ ସହ ଖଇରା ନଦୀ କୂଳରେ ବୁଲିବା ସମୟରେ ନିହାର ନଳିନୀ ପାଇଥିଲେ ବାଘ ଛୁଆଟିକୁ । ନଦୀ ଅନୁସାରେ ନାଆଁଟି ଖଇରୀ ରଖିଲେ । ନିହାର ନଳିନୀଙ୍କ କୋଳରେ ଜନ୍ମକଲା ଝିଅ ପରି ସ୍ନେହ ବୋଳା ହାତର ସ୍ପର୍ଶରେ, ପଣତ କାନି ତଳେ ଖଇରୀ ଶୋଉଥିଲା, ଖାଉଥିଲା ଶଶୀକଳା ପରି ବଢ଼ି ଚାଲିଲା । ନିହାରନଳିନୀ ଏବଂ ସରୋଜଙ୍କ ଗେହ୍ଲାଝିଅ, ନୟନପିତୁଳା ପାଲଟିଯାଇଥିଲା ବାଘୁଣୀ ଖଇରୀ । ନିହାରନଳିନୀଙ୍କ ବାତ୍ସଲ୍ୟ ମମତା, ମଣିଷ ସହ ବାଘୁଣୀର ସଂପର୍କ ସାରା ଦୁନିଆଁ ଜାଣିଲା । ସମୟ ବଢିଚାଲେ ଅପେକ୍ଷା କରେନି କାହାକୁ; ବର୍ଷ ଥିଲେ 1981, ସବୁ ଦିନ ପାଇଁ ଆଖି ବୁଜିଥିଲା ଖଇରୀ । ଭାଙ୍ଗିପଡିଥିଲା ନିହାରନଳିନୀ ସନ୍ତାନ ହରା ନିହାରନଳିନୀ ପାଲଟିଥିଲେ ସର୍ବହରା ।
ଖଇରୀ ତ ଚାଲିଗଲା ହେଲେ ତାହା ସହ ବିତିଥିବା ସେହି ସମୟ ଏବେବି ଜୀବନ୍ତ । କାରଣ ଖଇରୀ ନିହାରନଳିନୀଙ୍କ ସନ୍ତାନ ପରିଥିଲା । ଯାହା ଠାରୁ ବଳି ସମ୍ପଦ ଏହି ଦୁନିଆରେ କିଛି ନାହିଁ। ହେଲେ ଏବେ ବି ଖଇରୀର ସ୍ମୃତିକୁ ମନେ ପକାଇ ଗୁମୁରି କାନ୍ଦୁଛି ନିହାରନଳିନୀ ।
କଟକରୁ ପ୍ରଭୁକଲ୍ୟାଣ ପାଲ ଇଟିଭି ଭାରତ