କଟକ: ହଜାରେ ବର୍ଷର ପୁରୁଣା ଐତିହାସିକ ଗୁରୁତ୍ବ ବହନ କରୁଥିବା ପରମ୍ପରା ଓ ଭାଇଚାରାର ସହର କଟକ । ବାଉନ ବଜାର ତେପନ ଗଳିର ଏ ସହର କଟକ । ଏହି ଗଳିକନ୍ଦିର ରାସ୍ତାକୁ ସୁଲଭ ଉପାୟରେ ବାଟ କାଟିନିଏ 3 ଚକିଆ ଯାନ ରିକ୍ସା । କହିବାକୁ ଗଲେ ରିକ୍ସା ହେଉଛି କଟକବାସୀଙ୍କ ଏକ ଅଭିଚ୍ଛେଦ୍ୟ ଅଙ୍ଗ ।
ସିଲଭରସିଟିରେ ହଜୁଛି ରିକ୍ସାର ଚମକ, କ୍ଷୁବ୍ଧ କଟକିଆ କିନ୍ତୁ ଏବେ ଏହି ଅଙ୍ଗ ହୋଇଯାଇଛି ଅକାମି । ପୂର୍ବଭଳି ରାସ୍ତାଘାଟରେ ରିକ୍ସା ଚାଳକଙ୍କୁ ମୁହଁରୁ ଆଉ ଶୁଭୁନି ବାଦାମବାଡି, ରାଣୀହାଟର ସ୍ବର । କାରଣ ସମୟ ବଦଳିଛି, ଆଉ ବଦଳିଯାଇଛି ଲୋକଙ୍କ ପସନ୍ଦ ଓ ମାନସିକତା । ବାଟୋଇଟିଏ ଏବେ ଆଉ ହାତ ଠାରି ଡାକୁନି ରିକ୍ସାକୁ । ବରଂ ଅଟୋ ଓ ଅନ୍ୟ ଗାଡିକୁ କରୁଛି ଭରସା । ସିଧାସଳଖ କୁହାଯାଇପାରେ କି ଆଧୁନିକତାର ସ୍ପର୍ଶରେ ସିଲଭରସିଟିରେ ଅଟୋ ରିକ୍ସାର ଚମକରେ ଫିକା ପଡି ଯାଇଛି ସାଧାରଣ ରିକ୍ସାର ଚାହିଦା । ନୀରବ ହୋଇଯାଇଛନ୍ତି ରିକ୍ସା ଚାଳକ । କିନ୍ତୁ ହଜୁଥିବା ଏହି ରିକ୍ସାର ଚମକ ପୁଣି ଫେରିବା ଦରକାର ବୋଲି ଅନୁଭବ କରନ୍ତି କଟକିଆ ।
ଅନ୍ୟପଟେ ରିକ୍ସାର ଚାହିଦା କମୁଥିବାରୁ ଚିନ୍ତାରେ ରିକ୍ସା ମାଲିକ । ବାଲିଯାତ୍ରା ସମୟରେ ଜିଲ୍ଲାପ୍ରଶାସନ ଯେଉଁ 'ମୋ ରିକ୍ସା' କାର୍ଯ୍ୟକ୍ରମ ହାତକୁ ନେଇଥିଲା ତାହା ସ୍ବାଗତଯୋଗ୍ୟ ପଦକ୍ଷେପ ଥିଲା । କିନ୍ତୁ ବର୍ତ୍ତମାନର ସ୍ଥିତି ଯଥା ପୂର୍ବଂ ତଥା ପରଂ ବୋଲି ଅଭିଯୋଗ ହୁଏ । ସେପଟେ କଟକର ପୁନଃବିକାଶ କାର୍ଯ୍ୟରେ ସମସ୍ତ ବ୍ୟସ୍ତ ଥିବାରୁ ରିକ୍ସାର ବିକାଶ ପ୍ରତି ଧ୍ୟାନ କମିଯାଇଛି । ଖୁବ ଶୀଘ୍ର ପୂର୍ବ ଭଳି ସିଲଭରସିଟିରେ ରିକ୍ସାକୁ ଏକ ସ୍ବତନ୍ତ୍ର ପରିଚୟ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ସମୟ ସହ ସତେଯେମିତି ନିଶ୍ଚିହ୍ନ ହୋଇଯାଇଛି ରିକ୍ସାର ଭାଗ୍ୟ । ଯଦି ପ୍ରଶାସନ ଏ ଦିଗରେ ପୁଣି ତତ୍ପରତା ନ ଦେଖାନ୍ତି ତେବେ ପୂର୍ବ ଭଳି ଏହି ସ୍ବର ଓ ଏହି ଯାନ ଦେଖିବାକୁ ମିଳିବ ନାହିଁ । କେବଳ ସେତିକି ନୁହେଁ ହଜାର ହଜାର ଗରିବ ରିକ୍ସା ଚାଳକ ମାନେ ମଧ୍ୟ ହରାଇବେ ନିଜର ଜୀବନ ଜୀବିକା ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ