ଭୁବନେଶ୍ବର: ବାରବାଟୀରେ ଟି-20 କ୍ରିକେଟ ମ୍ୟାଚକୁ ଲାଗି ରହିଛି ଉତ୍କଣ୍ଠା । ଖେଳ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ କହିଲେ ନସରେ । ଟିକେଟ ବୁକିଙ୍ଗକୁ ନେଇ ସାମୟିକ ଦ୍ଵନ୍ଦ୍ବ ଲାଗି ରହିଥିଲା । ଟିକେଟ ଏବଂ ପାସକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସାଧାରଣ ଖେଳପ୍ରେମୀ । ତେବେ ରାଜନୈତିକ ବ୍ୟକ୍ତିବିଶେଷ ମଧ୍ୟ ପାସ ବ୍ୟବସ୍ଥାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ମ୍ୟାଚ ସମୟରେ ପାସ ବ୍ୟବସ୍ଥା ଉଚ୍ଛେଦ କରଯାଉ ବୋଲି ଦାବି କରିଛନ୍ତି ବିଭିନ୍ନ ରାଜନୈତିକ ଦଳ ।
ପାସ ବ୍ୟବସ୍ଥା ଉଚ୍ଛେଦ କରାଯାଉ: ଅମର ପଟ୍ଟନାୟକ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଏହାକୁ ନେଇ କହିଛନ୍ତି, ‘‘ମୁଖ୍ୟମନ୍ତ୍ରୀ ଯେତେବେଳେ ନିଜେ ଟିକେଟ କିଣୁଛନ୍ତି । ପାସ ବ୍ୟବସ୍ଥା ଗୋଟିଏ ପାଟ୍ରୋନାଇଜଡ଼ି ବେସ ହୋଇଯାଇଛି, ଅର୍ଥାତ ଯାହାଙ୍କ ପାଖରେ ଯାହାର ଚିହ୍ନା ପରିଚୟ ରହିଛି ସେମାନେ ଯାଇ ପାସ ପାଇପାରିବେ । ତେଣୁ, ସେଇଭଳି ବ୍ୟବସ୍ଥାକୁ ଉଚ୍ଛେଦ କରାଯିବ ଠିକ ବୋଲି ମୁଁ ଭାବୁଛି । ଏହା ସମ୍ପୂର୍ଣ୍ଣ ଭାବେ ମୋର ବ୍ୟକ୍ତିଗତ ମତ । ଆଜିର ମ୍ୟାଚ ନେଇ ଭାରତୀୟ କ୍ରିକେଟ ଟିମକୁ ଶୁଭେଚ୍ଛା ଜଣାଇଲେ ଅମର ପଟ୍ଟନାୟକ । କଟକରେ ଆମର ରେକର୍ଡ ଭଲ ନାହିଁ କିନ୍ତୁ, ଆଜି ମୁଁ ଭାବୁଛି କି ରେକର୍ଡ ଚେଞ୍ଜ ହେବ ଆଉ ଆମେ ଆଜି ଜିତିବା ।’’ସେପଟେ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ମଧ୍ୟ ଏହାକୁ ବିରୋଧ କରିଛନ୍ତି । ସେ କହିଛନ୍ତି, ‘‘ଯେଉଁଭଳି ଭାବେ ତିନି ଚାରି ଦିନ ହେବ ଦେଖାଗଲା ମାତ୍ର, 12 ହଜାର ଟିକେଟ ପାଇଁ 35ରୁ 40 ହଜାର ଲୋକେ ଲାଇନରେ ଛିଡ଼ା ହୋଇଥିଲେ । ଆଉ ଯେମିତି ପୋଲିସ ତାଙ୍କୁ ଲାଠି ଚାର୍ଜ କଲା, ତାହା ଭଲ ନୁହେଁ । ଅଧିକ ସଂଖ୍ୟାରେ ଲୋକଙ୍କ ପାଇଁ ରହିବା କଥା । ଭିଆଇପିଙ୍କ ପାଇଁ ଯେଉଁ 30ରୁ 32 ହଜାର ପାସ ବ୍ୟବସ୍ଥା କରାଯାଇଛି, ତାକୁ ଉଚ୍ଛେଦ କରଯାଉ ।’’ଆଜିର ମ୍ୟାଚକୁ ନେଇ ଭାରତୀୟ କ୍ରିକେଟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଓଡିଶାବାସୀ ବହୁତ ଦିନ ପରେ କଟକରେ ମ୍ୟାଚ ଦେଖୁଛନ୍ତି । ସମସ୍ତେ ଚାହୁଁଛୁ ଭାରତ ଏହି ମ୍ୟାଚ ଜିତୁ ଏବଂ ବାରବାଟୀର ନାଁ ରହୁ ବୋଲି ସାଲୁଜା କହିଛନ୍ତି ।