ଓଡିଶା

odisha

ETV Bharat / state

ମଙ୍ଗଳାଯୋଡ଼ିରେ ମୋଟର ବୋଟ ଚାଳନାକୁ ନେଇ ହାଇକୋର୍ଟଙ୍କ ଶୁଣାଣି - ମଙ୍ଗଳାଯୋଡ଼ିରେ ମୋଟର ବୋଟ ଚାଳନା ଶୁଣାଣି

ଚିଲିକାର ମଙ୍ଗଳାଯୋଡ଼ିରେ ମୋଟର ବୋଟ ଚାଲୁଥିବା ଯୋଗୁଁ ଆସୁଥିବା ବିଦେଶାଗତ ପକ୍ଷୀଙ୍କ ପାଇଁ ସମସ୍ୟା ସୃଷ୍ଟି ନେଇ ଆଗତ ଜନସ୍ୱାର୍ଥ ମାମଲାରେ ଶୁଣାଣି କରିଛନ୍ତି ହାଇକୋର୍ଟ । ଅଧିକ ପଢ଼ନ୍ତୁ

ମଙ୍ଗଳାଯୋଡ଼ିରେ ମୋଟର ବୋଟ ଚାଳନାକୁ ନେଇ ହାଇକୋର୍ଟଙ୍କ ଶୁଣାଣି
ମଙ୍ଗଳାଯୋଡ଼ିରେ ମୋଟର ବୋଟ ଚାଳନାକୁ ନେଇ ହାଇକୋର୍ଟଙ୍କ ଶୁଣାଣି

By

Published : Feb 18, 2022, 10:33 PM IST

କଟକ: ଚିଲିକାର ମଙ୍ଗଳାଯୋଡ଼ିରେ ମୋଟର ବୋଟ ଚାଲୁଥିବା ଯୋଗୁଁ ଆସୁଥିବା ବିଦେଶାଗତ ପକ୍ଷୀଙ୍କ ପାଇଁ ସମସ୍ୟା ସୃଷ୍ଟି ନେଇ ଆଗତ ଜନସ୍ୱାର୍ଥ ମାମଲାରେ ଶୁଣାଣି କରିଛନ୍ତି ହାଇକୋର୍ଟ । ବାଲୁଗାଁ ଡିଏଫଓ, ଚିଲିକା ଉନ୍ନୟନ କତ୍ତୃପକ୍ଷଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଓ ଚିଲିକା ମତ୍ସ୍ୟ ଅଧିକାରୀ ହାଇକୋର୍ଟଙ୍କ ଶୁଣାଣି ସମୟରେ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହିଥିଲେ । ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଏହି ଅଧିକାରୀ ମାନେ ବ୍ୟକ୍ତିଗତ ଭାବେ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ଥିଲେ । ଏହାସହ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଏକ ସତ୍ୟପାଠ ଦାଖଲ କରିଥିଲେ ।

ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ସ୍ଥାନୀୟ ଅଞ୍ଚଳରେ ମତ୍ସ୍ୟଜୀବୀଙ୍କୁ ଏହି ଅଧିକାରୀ ବୁଝାଇଥିଲେ । କିନ୍ତୁ ଓଡ଼ିଶା ମେରାଇନ ଫିସିଂ ରେଗୁଲେଟୋରୀ ଅଥୋରିଟିଙ୍କ ଠାରୁ ଅନୁମତି ପାଇ ମାଛ ଧରୁଛନ୍ତି ମତ୍ସ୍ୟଜୀବୀ । ମଙ୍ଗଳାଯୋଡ଼ି ଦେଇ ସମୁଦ୍ରରେ ପହଁଚିବା ସହଜ ହେଉଥିବାରୁ ସେ ଏହି ରାସ୍ତାରେ ଯାତାୟତ କରୁଛନ୍ତି ମତ୍ସ୍ୟଜୀବୀ । ଓଡି଼ଶା ମେରାଇନ ଫିସିଂ ରେଗୁଲେଟୋରୀ ଅଥୋରିଟି କେଉଁ ଆଧାରରେ ଲାଇସେନ୍ସ ଦେଉଛନ୍ତି ତାହା ଜାଣିବାକୁ ଚାହିଁଛନ୍ତି ହାଇକୋର୍ଟ । ତେଣୁ ମାର୍ଚ୍ଚ ୮ରେ ଓଡିଶା ମେରାଇନ ଫିସିଂ ରେଗୁଲେଟୋରୀ ଅଥୋରିଟିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଆସନ୍ତା ମାର୍ଚ୍ଚ ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ । ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଦିବାକର ବେହେରା ହାଇକୋର୍ଟରେ ଏହି ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି । ମଙ୍ଗଳାଯୋଡ଼ି ଜଳରାଶିରେ ମୋଟର ବୋଟ ଚଳପ୍ରଚଳକୁ ସଂପୂର୍ଣ୍ଣ ନିଷେଧ କରିବାକୁ ଏଥିରେ ନିବେଦନ କରାଯାଇଛି । ମଙ୍ଗଳାଯୋଡ଼ି ଅଞ୍ଚଳକୁ ଶାନ୍ତିପୂର୍ଣ୍ଣ ଜୋନ୍‌ ଭାବେ ଘୋଷଣା କରାଯିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଅଞ୍ଚଳକୁ ଆସୁଥିବା ବିଦେଶାଗତ ପକ୍ଷୀଙ୍କୁ ଷ୍ଟେଟ ଗେଷ୍ଟ ବା ରାଜ୍ୟ ଅତିଥି ଭାବେ ଘୋଷଣା କରିବାକୁ ନିବେଦନ କରାଯାଇଛି ।

ବେଆଇନ ଭାବେ ଚାଲୁଥିବା ମୋଟର ବୋଟ୍‌ ଗୁଡିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଲିକା ଉନ୍ନୟନ କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନରେ ନିବେଦନ କରାଯାଇଛି । ମାମଲାରେ ଦର୍ଶାଯାଇଛି ଯେ, ହିମାଳୟ ଅଞ୍ଚଳ ସମେତ ସାଇବେରିଆ, କାଶପିଆନ ସାଗର ଅଞ୍ଚଳ, ବାଇକାଲ ହ୍ରଦ, କାଜଖ ଭଳି ଅଞ୍ଚଳରୁ ଏହି ପକ୍ଷୀମାନେ ଅତ୍ୟଧିକ ଶୀତକୁ ସହି ନପାରି ଓଡ଼ିଶାର ଚିଲିକା ହ୍ରଦକୁ ଚାଲି ଆସିଥାନ୍ତି। ଗତବର୍ଷ ଚିଲିକାରେ ୧୯୦ ପ୍ରଜାତିର ୧୨ ଲକ୍ଷ ୪୨ ହଜାର ୮୨୬ ଟି ପକ୍ଷୀ ଆସିଥିବା ଗଣତି ହୋଇଥିଲା । ଏମାନଙ୍କ ମଧ୍ୟରୁ ଅଧିକାଂଶ ଆଦ୍ରଭୂମି ଯୋଗୁଁ ମଙ୍ଗଳାଯୋଡି ଅଞ୍ଚଳକୁ ବାଛି ଥାନ୍ତି । ତେଣୁ ଏଭଳି ପକ୍ଷୀ ମାନଙ୍କର ସୁରକ୍ଷା ଯୋଗାଇ ଦେବା ସହ ମଙ୍ଗଳାଯୋଡ଼ି ଅଞ୍ଚଳକୁ ପକ୍ଷୀ ମାନଙ୍କର ଅଭୟାରଣ୍ୟ ଭାବେ ଘୋଷଣା କରିବାକୁ ଆବେଦନରେ କୁହାଯାଇଛି । ଏହି ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ, ଚିଲିକା ଉନ୍ନୟନ କତ୍ତୃପକ୍ଷଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ, ଡିଏଫଓ ଚିଲିକା ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details