କଟକ: ରାଜ୍ୟ ଆଇନ ବିଭାଗ ସଚିବ ଏବଂ ଅର୍ଥ ବିଭାଗ ସଚିବଙ୍କ ଦରମା ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଦାଲତଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ତାଙ୍କ ବକେୟା ପ୍ରାପ୍ୟ ସହ ପେନ୍ସନ୍ ନମିଳିବାରୁ ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି । ୨୦୧୯ ଡିସେମ୍ବର ୧୨ରେ ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହା ଯଦି ପରବର୍ତ୍ତୀ ଶୁଣାଣି ସୁଦ୍ଧା କାର୍ଯ୍ୟକାରୀ ନହୁଏ ତେବେ ଉଭୟ ସଚିବଙ୍କର ଚଳିତ ମାସର ଦରମା ବନ୍ଦ କରାଯିବ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି ।
ସୂଚନାଯୋଗ୍ୟ, ବୁର୍ଲା ହୀରାକୁଦ ଡ୍ୟାମ୍ ପ୍ରୋଜେକ୍ଟରେ କାର୍ଯ୍ୟ କରି ୨୨ ବର୍ଷ ତଳେ ଅବସର ଗ୍ରହଣ କରି ପେନ୍ସନ୍ ପାଇବାରୁ ବଞ୍ଚିତ ହୋଇଥିବା ୮୦ବର୍ଷର ବୃଦ୍ଧ ମିଠୁରାମ ଭୋଇଙ୍କ ପକ୍ଷରୁ ଆଗତ ଅଦାଲତ ଅବମାନନା ମାମଲାର ଶୁଣାଣି ହୋଇଛି । ହାଇକୋର୍ଟର ବିଚାରପତି କୁମାରୀ ଜଷ୍ଟିସ୍ ସଞ୍ଜୁ ପଣ୍ଡା ଏବଂ ବିଚାରପତି ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୧ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ମାମଲାରୁ ଜଣାଯାଇଛି ଯେ, ମିଠୁରାମ ଭୋଇ ବୁର୍ଲା ହୀରାକୁଦ୍ ପ୍ରୋଜେକ୍ଟରୁ ୧୯୯୮ ଜୁନ୍ ୩୦ରେ ଅବସର ଗ୍ରହଣ କରିଥିଲେ । କିନ୍ତୁ ତାଙ୍କୁ ଅବସର ପରେ ପେନ୍ସନ୍ ମିଳିନଥିଲା । ଫଳରେ ଏ ନେଇ ସେ ପ୍ରଥମେ ସ୍ୟାଟ୍ରେ ମାମଲା ରୁଜୁ କରିଥିଲେ ।