କଟକ: ଚୌଦ୍ବାରରେ ହାତୀ ପଲଙ୍କ ଉତ୍ପାତ । ଫଳରେ ଜଣେ ଗରିବ ଚାଷୀଙ୍କ ଜୀବନ ଯାଇଛି । କେବଳ ସେତିକି ନୁହେଁ ଶହ ଶହ ଏକର ଧାନ ଫସଲକୁ ନଷ୍ଟ କରିଦେଇଛନ୍ତି ଏହି ହାତୀ ପଲ ।
ସୂଚନାନୁଯାୟୀ, ଚୌଦ୍ବାର ପୌରାଞ୍ଚଳ ଓଟିଏମ କଲୋନୀ ଅଞ୍ଚଳର ରତ୍ନାକର ବେହେରା ନାମକ ଜଣେ ଚାଷୀ ନିକଟସ୍ତ ଭରାଣ୍ଡି ବିଲକୁ ଧାନ କାଟିବାକୁ ଯାଇଥିବାବେଳେ ହାତୀ ପଲ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ଦଳି ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ ଘଟିଥିଲା ।
ତେବେ ଏହି ଘଟଣାକୁ ନେଇ ସ୍ଥାନୀୟବାସିନ୍ଦା ପ୍ରତିବାଦ କରିଥିଲେ । ବନ ବିଭାଗର ନିଷ୍କ୍ରିୟତା ପାଇଁ ଏଭଳି ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ଏଥିଲାଗି କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ସ୍ଥାନୀୟ ଜନ ପ୍ରତିନିଧି ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବାରୁ ସ୍ଥିତି ନିୟନ୍ତ୍ରଣ ହୋଇଥିଲା । ତେବେ ଏହି ହାତୀପଲରେ ୧୨ ଟି ହାତୀ ଥିବା ବେଳେ୨ ଟି ଦନ୍ତା,୪ ଟି ଛୁଆ ଓ ୬ଟି ମାଈ ହାତୀ ଥିବା ଜଣାପଡିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ