କଟକ: ଚାଲିଛି ମାଟ୍ରିକ ପରୀକ୍ଷା । ବିଭିନ୍ନ ସ୍କୁଲରେ ପରୀକ୍ଷା ଦେଉଛନ୍ତି ଲକ୍ଷାଧିକ ପିଲା । ସରକାରଙ୍କ ନିର୍ଦ୍ଦେଶାକ୍ରମେ ବିଭିନ୍ନ ଶିକ୍ଷାନୁଷ୍ଠାନରେ କଡାକଡି ସହ ସୁରକ୍ଷା ବ୍ୟବସ୍ଥାରେ ପରୀକ୍ଷା ଜାରି ରହିଛି । ତେବେ ଏହି ସମୟରେ ପରୀକ୍ଷା ପରିଚାଳନାରେ ଅନିୟମିତତା ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ । ଅନିୟମିତତା କରିଥିବା ଅଭିଯୋଗରେ ଦୁଇ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ।
ତେବେ ସୂଚନା ଆନୁଯାୟୀ କଟକ ଜିଲ୍ଲା ନରସିଂହପୁର ଯୋଡୁମ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ସ୍ୱାଇଁ ଓ କଳାହାଣ୍ଡି ଜିଲ୍ଲା ଦୟାନିଧି ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ମହାନ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଦ୍ବାରା ଦୁଇ ଜଣଙ୍କୁ ନିଲମ୍ବିତ କରାଯାଇଛି । ପରୀକ୍ଷା କେନ୍ଦ୍ର ସୁପରିଟେଡେଣ୍ଟ ଦାୟିତ୍ବରେ ଥିଲେ ଏହି ଦୁଇ ପ୍ରଧାନ ଶିକ୍ଷକ । ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ବାରଣ କରାଯାଇଥିବା ସତ୍ତ୍ବେ, ଯୋଡୁମ ହାଇସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେଇଥିବାର ବୋର୍ଡର ସ୍ବତନ୍ତ୍ର ସ୍କ୍ବାର୍ଡ ଦେଖିବାକୁ ପାଇଥିଲା । ପରୀକ୍ଷା ପରିଚଳନାରେ ଅବହେଳା କରାଣରୁ ନିଲମ୍ବିତ କରାଯାଇଥିଲା । ସେହିପରି ନୟାଗଡ଼ ଡିଇଓ ଜଣେ ସହକାରୀ ଶିକ୍ଷୟତ୍ରୀଙ୍କୁ ମଧ୍ୟ ନିଲମ୍ବନ କରିଛନ୍ତି । ନୟାଗଡ଼ ବାଇଗୁଣିଆ ୱେଭର କୋଅପରେଟିଭ ଶିକ୍ଷୟତ୍ରୀ ଅର୍ପିତା ନାୟକ, ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ବାରା ନିଲମ୍ବିତ ହୋଇଛନ୍ତି । ସେ ସେହି ପରୀକ୍ଷା କେନ୍ଦ୍ରର ଡେପୁଟି ସୁପରିଟେଡେଣ୍ଟ ଦାୟିତ୍ବରେ ଥିଲେ ।