ନିଆଳି:ଆଜି ଦେଶ ପାଳନ କରୁଛି ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ ଜୟନ୍ତୀ । ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଗୁରୁଦିବସ ରୂପେ ବେଶ ଆଡମ୍ବର ସହକାରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଳନ କରାଯାଇଛି । ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନମାନଙ୍କରେ ମହାନ ଗୁରୁଙ୍କ ଗୁଣଗାନ ହୋଇଛି ।
ଏହି ଅବସରରେ କଟକ ଜିଲ୍ଲା ନିଆଳି ବ୍ଳକର ସିଠାଳୋ ପଞ୍ଚାୟତ ଶାସନପଦା ନୀଳମାଧବଜୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏକ ନିଆରା କାର୍ଯ୍ୟକ୍ରମ । ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଶିକ୍ଷକ ସ୍ବର୍ଗତ ସାଧୁ ଚରଣ ବଡୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି । ବିଦ୍ୟାଳୟ ଫାଟକ ସ୍ବର୍ଗତ ବଡୁଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରି ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । କଟକ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଆବସ୍ଥିତ ଦେବୀ କନ୍ଦଳ ଦ୍ବିପାଞ୍ଚଳ ନଦୀ ନାଳ ଘେରା ଅଞ୍ଚଳ । ଏଠାରେ ସେତେବେଳେ ପାଠ ପଢିବା ପାଇଁ କୌଣସି ସୁଯୋଗ ନଥିଲା । ସେହି ସମୟରେ ଶାସନପଦା ନୀଳମାଧବଜୀୟୁ ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ଥାପନ କରିଥିଲେ । ଚାଳ ଘରର ମାଟି କାନ୍ଥରୁ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ଆଜି ୫ଟିରେ ରୂପାନ୍ତରିତ ହୋଇଛି। ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଶ୍ରେଣୀରେ ପିଲାମାନେ ପାଠ ପଢ଼ୁଛନ୍ତି ।
ପୂର୍ବତନ ସରପଞ୍ଚ ଅନ୍ତର୍ଯ୍ୟାମୀ ବଡୁ କହିଛନ୍ତି, ‘‘କଟକରେ ଶେଷ ସୀମାକୁ ଲାଗିଥିବା ଏହି ଗାଁରେ ନା ଥିଲା ଶିକ୍ଷା ନା ଶିକ୍ଷାର ସୁବିଧା । ସାଧୁ ଚରଣ ବଡୁ ଶିକ୍ଷାର ବିକାଶ ଦିଗରେ ପ୍ରଥମ ପଦକ୍ଷପ ଗ୍ରହଣ କରିଥିଲେ । ଏବେ ଏହି ବିଦ୍ୟାଳୟରୁ ଉତ୍ତିର୍ଣ୍ଣ ହୋଇ ବହୁ ଛାତ୍ରଛାତ୍ରୀ ରାଜ୍ୟ, ଦେଶ ତଥା ବିଦେଶରେ ସୁନାମ ଅର୍ଜନ କରି ଉଚ୍ଚ ପଦପଦବୀରେ ଅଧିଷ୍ଠିତ ଅଛନ୍ତି । ବିଦ୍ୟାଳୟର ପ୍ରତିଷ୍ଠାତା ଓ ଶିକ୍ଷକ ସ୍ବର୍ଗତ ସାଧୁ ଚରଣ ବଡୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏଠାରେ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି । ଏହି ମହତ କାର୍ଯ୍ୟ ଅନ୍ୟମାନଙ୍କ ଉଦାହରଣ ସୃଷ୍ଟି କରିବ ।’’