କଟକ: ଆରମ୍ଭ ହେବାକୁ ଯାଉଛି ପରୀକ୍ଷା ଋତୁ । ଛାତ୍ରଛାତ୍ରୀମାନେ ଭୟମୁକ୍ତ ଓ ଚାପମୁକ୍ତ ହୋଇ କିଭଳି ପରୀକ୍ଷା ଦେବେ ସେନେଇ ପରୀକ୍ଷା ପେ ଚର୍ଚ୍ଚାରେ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଫଳତାର ସହ ପରୀକ୍ଷାର୍ଥୀମାନେ କିଭଳି ସେମାନଙ୍କ ପରୀକ୍ଷାରେ କୃତକାର୍ଯ୍ୟ ହେବେ ସେନେଇ ପରାମର୍ଶ ଦେଇଛନ୍ତି । ତେବେ ପରୀକ୍ଷା ପେ ଚର୍ଚ୍ଚାର ଷଷ୍ଠ ସଂସ୍କରଣ କାର୍ଯ୍ୟକ୍ରମରେ କଟକର ବିଭିନ୍ନ ସ୍କୁଲ ସାମିଲ ହୋଇଛନ୍ତି । ବିଶେଷକରି କେନ୍ଦ୍ରୀୟ ବିଦ୍ୟାଳୟରେ ଏହି ଚର୍ଚ୍ଚାରେ ସାମିଲ ହୋଇଛନ୍ତି ଶହ ଶହ ଛାତ୍ରଛାତ୍ରୀ ।
ଏହି କାର୍ଯ୍ୟକ୍ରମରେ ପରୀକ୍ଷାର ଚିନ୍ତା ଛାଡିବା ଏବଂ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଗୁରୁତ୍ବ ଦିଆଯିବା ଉଚିତ ବୋଲି ଛାତ୍ରଛାତ୍ରୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଛାତ୍ରଛାତ୍ରୀ ସମସ୍ତ ଲକ୍ଷ୍ୟ ପୂରଣରେ ସହାୟତା କରିବାକୁ ପ୍ରଧାନମନ୍ତ୍ରୀ ଅଭିଭାବକଙ୍କ ସହ କଥା ହୋଇଛନ୍ତି । ପରୀକ୍ଷା ପୂର୍ବରୁ ଏହି କାର୍ଯ୍ୟକ୍ରମ ବିଦ୍ୟାର୍ଥୀଙ୍କ ଆତ୍ମବିଶ୍ବାସ ବଢାଇବା ଦିଗରେ ସହାୟକ ହେବ । ଏହି କାର୍ଯ୍ୟକ୍ରମ ଆଜି ଦୂରଦର୍ଶନ, ରେଡିଓ ଚ୍ୟାନେଲ, ଡିଜିଟାଲ ପ୍ଲାଟଫର୍ମ ତଥା ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ ହୋଇଛି । ଶେଷ ଥର ପାଇଁ ଗତବର୍ଷ ଅପ୍ରେଲ 1 ତାରିଖରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଅବଭାବକଙ୍କୁ ଟିପ୍ସ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।