ନିଆଳି : ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ। ପହଞ୍ଚିଲାନି ପ୍ରଶ୍ନପତ୍ର । ସାହିତ୍ୟ ପରୀକ୍ଷା ଦେଇପାରିଲେନି ଛାତ୍ରଛାତ୍ରୀ । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ବ୍ଳକର ମହଙ୍ଗାପଡା ଶ୍ରୀ ଶ୍ରୀ ପିଙ୍ଗଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ । ପ୍ରଶ୍ନପତ୍ରକୁ ରଖି ବିଦ୍ୟାଳୟକୁ ଆସିଲେନି ପ୍ରଧାନ ଶିକ୍ଷକ l ଫଳରେ ପରୀକ୍ଷା ବହୁ ବିଳମ୍ବରେ ଆରମ୍ଭ ହୋଇଥିବା ବେଳେ ସାହିତ୍ୟ ପରୀକ୍ଷା ଦେଇପାରିଲେନି ଛାତ୍ରଛାତ୍ରୀ ।
ସୂଚନା ମୁତାବକ, ତେବେ ଗତକାଲିଠାରୁ ସମଗ୍ର ରାଜ୍ୟରେ ଦଶମ ଶ୍ରେଣୀର ଅର୍ଦ୍ଧବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିନରେ ମାତୃଭାଷା ଓ ଇଂରାଜୀ ପରୀକ୍ଷା ଥିଲା । ହେଲେ ନିଆଳି ବ୍ଲକର ପିଙ୍ଗଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଅର୍ଦ୍ଧ ବାର୍ଷିକ ପରୀକ୍ଷାରେ ଦେଖାଦେଇଛି ଗୁରୁତର ବିଭ୍ରାଟ l ପ୍ରଶ୍ନପତ୍ରକୁ ରଖି ବିଦ୍ୟାଳୟକୁ ପ୍ରଧାନ ଶିକ୍ଷକ ନଆସିବାରୁ ପରୀକ୍ଷା ଦେଇପାରି ନ ଥିଲେ ଛାତ୍ରଛାତ୍ରୀ । ତେବେ ଏଭଳି ଘଟଣାକୁ ନେଇ ସ୍କୁଲ ପରିସରରେ ଉତ୍ତେଜନା ଦେଖା ଦେବା ସହିତ ଅଭିଭାବକମାନେ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଗତ ଦୁଇ ଦିନ ପୂର୍ବରୁ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ମହାନ୍ତି ବିଦ୍ୟାଳୟର ସମସ୍ତ ପ୍ରଶ୍ନ ପତ୍ର ନେଇ ନିଜ ଘରେ ରଖିବା ସହ ବିଦ୍ୟାଳୟରେ ଅନୁପସ୍ଥିତ ଥିଲେ l ବୁଧବାର ଦିନ ପିଲାଙ୍କ ପରୀକ୍ଷା ଥିବା ନେଇ ତାଙ୍କ ସହ ଯୋଗାଯୋଗ କରାଯାଇଥିଲା । ଗତକାଲି ଦିନ 10ଟାରେ ପରୀକ୍ଷା ଥିବା ବେଳେ ପରୀକ୍ଷା ପ୍ରଶ୍ନପତ୍ର ନେଇ ପ୍ରଧାନ ଶିକ୍ଷକ ଆସି ନଥିଲେ । ବିଦ୍ୟାଳୟ ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇ ଥିଲା l ଖବର ପାଇ ବ୍ଲକ ଶିକ୍ଷା ଅଧିକାରିଣୀ ଜୋତ୍ସ୍ନା ରାଣୀ ମହାପାତ୍ର ଓ ସହକାରୀ ଶିକ୍ଷା ଅଧିକାରୀ ଅନନ୍ତ ନାରାୟଣ ସିଂହ ବିଦ୍ୟାଳୟରେ ପହଞ୍ଚିଥିଲେ । ଏଥିସହ ସ୍ଥାନୀୟ ଆଞ୍ଚଳିକ ସାଧନା କେନ୍ଦ୍ରର ସଂଯୋଜକ (ସିଆରସିସି) ମାନସ କୁମାର ରାଉତଙ୍କୁ ପ୍ରଧାନ ଶିକ୍ଷକଙ୍କ ନିକଟକୁ ପ୍ରଶ୍ନପତ୍ର ପାଇଁ ପଠାଇ ଥିଲେ ।