ନିଆଳି:ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ବିକଶିତ କରିବା ପାଇଁ ରାଜ୍ୟ ସରକାର ବିଦ୍ୟାଳୟଗୁଡି଼କୁ 5Tରେ ରୂପାନ୍ତରଣ କରିଛନ୍ତି । ବିଦ୍ୟାଳୟ ରୂପରେଖ ଏବେ ପରିବର୍ତ୍ତନ ହୋଇଛି । ବିଜ୍ଞାନଗାରା ଠୁ ପରିଶ୍ରାଗାର ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି ଚକାଚକ୍ ପରିବେଶ । ଏହାସତ୍ତ୍ବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ ରହିଛି । କଟକ ନିଆଳି ହାଇସ୍କୁଲ ଓ ଅଡଶପୁର ପ୍ରାଚୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଭଳି କିଛି ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ ।
ଚକାଚକ୍ ସ୍ମାର୍ଟ ସ୍କୁଲ୍ରେ ପାଠ ପଢ଼ାଇବାକୁ ନାହନ୍ତି ଶିକ୍ଷକଶିକ୍ଷୟିତ୍ରୀ ନଭେମ୍ବର ୧୧ ତାରିଖରେ ମୁଖ୍ୟମନ୍ତ୍ରୀ କଟକ ଜିଲ୍ଲାରେ ୩୦ଟି ସ୍ମାର୍ଟ ସ୍କୁ୍ଲ ଉଦଘାଟନ କରି ଦାୟିତ୍ଵ ସାରିଦେଇଛନ୍ତି। ସରକାର ଲକ୍ଷଲକ୍ଷ ଟଙ୍କା ବିନିମୟରେ ସ୍ମାର୍ଟ୍ ସ୍କୁଲ୍ ନିର୍ମାଣ କଲେ ସତ କିନ୍ତୁ ପିଲାମାନଙ୍କ ଭବିଷ୍ୟତ ଏବେ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି। ନିଆଳି ହାଇସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀରେ ମୋଟ ୪୫୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ହାଇସ୍କୁଲ ପାଇଁ ୧୫ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ୧୦ ଜଣ । ପିଟି, ହିନ୍ଦି, ମାଟ୍ରିକ ସିଟି, ଆଇସିଟି ଶିକ୍ଷକ ନାହାଁନ୍ତି ।
ଖାଲି ନିଆଳି ହାଇସ୍କୁଲ୍ ନୁହେଁ, କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକର ଅଡଶପୁର ପ୍ରାଚୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ସମାନ ସମସ୍ୟା ଦେଖିବାକୁ ମିଳିଛି । ଏହି ସ୍କୁଲରେ ପ୍ରଥମରୁ ୧୦ମ ଶ୍ରେଣୀରେ ପାଠ ପଢୁଛନ୍ତି ୬୫୦ ଜଣ ଛାତ୍ରଛାତ୍ରୀ । ହାଇସ୍କୁଲ ପାଇଁ ୧୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଆବଶ୍ୟକ ରହିଥିବା ବେଳେ । ୮ଟି ଶିକ୍ଷକ ପଦବୀ ଖାଲି ପଡ଼ିଛି । ଫଳରେ ପିଲାଙ୍କ ବିଜ୍ଞାନ ଶିକ୍ଷକ, ହିନ୍ଦି, ସାହିତ୍ୟ ପାଠପଢ଼ା ବାଧାପ୍ରାପ୍ତ ହୋଇଛି ।
ଦୁଇ ବିଦ୍ୟାଳୟର ଏଭଳି ସ୍ଥିତିକୁ ନେଇ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି ମାଟ୍ରିକ ଛାତ୍ରଛାତ୍ରୀ । କୋରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନପରେ ସ୍କୁଲ୍ ଖୋଲିଲା । ଅନଲାଇନ ପଢ଼ାରେ ପାଠ ବୁଢିବାରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଛାତ୍ରଛାତ୍ରୀ । ଗୁରୁତ୍ବପୂର୍ଣ୍ଣ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାକୁ ଶିକ୍ଷକଙ୍କ ଅଭାବ ରହିଛି । ସ୍ମାର୍ଟ ସ୍କୁଲରେ ପିଲାମାନେ ସ୍ମାର୍ଟ ଶିକ୍ଷା ଲାଭ କରି ପାରୁନଥିବା ଅଭଯୋଗ ହୋଇଛି ।
କେବଳ ସ୍କୁଲର ପରିବେଶର ରୂପ ରେଖ ପରିବର୍ତ୍ତନ କରିଦେଲେ ଯେ ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ଭବିଷ୍ୟତ ପରିବର୍ତ୍ତନ ହୋଇଯିବ ଏହା କହିବା ବାହୁଲ୍ୟ ମାତ୍ର । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଶିକ୍ଷକ ପଦବୀ ପୂରଣ ହେଲେ ଶିକ୍ଷାର ବିକାଶ ହୋଇ ପାରିବ ବୋଲି ଚର୍ଚ୍ଚା ହେଉଛି ।
ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ