କଟକ: ଧରାପୃଷ୍ଠରୁ ବାହୁଡିଲେ ଜଗତଜନନୀ ମା' ଦୁର୍ଗା । ଷଷ୍ଠୀଠାରୁ ଆଜି ପର୍ଯ୍ୟନ୍ତ ଲାଇଟ ତୋରଣରେ ଝଲସି ଉଠୁଥିଲା ସିିଲଭରସିଟି। ହେଲେ ଆଜିଠୁ ସହର ପୁରା ଖାଁ ଖାଁ ହୋଇପଡିଛି । ଏହି ଦିନରେ ସମସ୍ତେ ମର୍ମାହତ ଥିଲାବେଳେ ଦେବୀଗଡା ନିକଟରେ ଉଠା ଦୋକାନୀମାନେ ଚାତକ ପରି ଚାହିଁ ରହିଥାନ୍ତି । କାରଣ ମା'ଙ୍କ ଶେଷ ଦର୍ଶନ କରିବା ପାଇଁ ପୁରୀଘାଟ ଥାନା ନିକଟସ୍ଥ ଦେବୀଗଡାଠାରେ ରୁଣ୍ଡ ହୋଇଥିନ୍ତି ହଜାର ହଜାର ଭକ୍ତ । ଏହି ସମୟରେ ଉଠା ବେପାରୀଙ୍କ ବିଭିନ୍ନ ଘରକରଣା ଜିନିଷ ବିକ୍ରି କରି ବେଶ ଲାଭବାନ ହୋଇଥାନ୍ତି ।
ପୁରୀଘାଟଠାରେ ପ୍ରାୟତଃ ଅଷ୍ଟମୀ ଠାରୁ ପଡିଥାଏ ବେପାର ଷ୍ଟଲ । ଘରକରଣା ଜିନିଷ ରଖି ଦେବୀଗଡା ନିକଟରେ ଗ୍ରାହକଙ୍କ ଆଗମନକୁ ଅପେକ୍ଷା କରି ରହିଥାନ୍ତି ବ୍ୟବସାୟୀ । ଅନ୍ଯ ଦିନ ଅପେକ୍ଷା ବିସର୍ଜନ ଦିନ ଅଧିକ ବ୍ୟବସାୟ ହୋଇଥାଏ । ରାଜ୍ୟର କୋଣ ଅନୁକୋଣରୁ ଭକ୍ତମାନେ ଆସି ଏହି ସ୍ଥାନରେ ରହି ମା'ଙ୍କ ବିସର୍ଜନ ଦେଖିବା ସହ ଘରକରଣା ଜିନିଷପତ୍ର ମଧ୍ୟ କିଣି ନେଇଥାନ୍ତି । ଛୁଞ୍ଚିଠାରୁ ଆରମ୍ଭ କରି ଶାବଳ ପର୍ଯ୍ୟନ୍ତ ଏଠାରେ ସମସ୍ତ ଜିନିଷ ଉପଲବ୍ଧ ରହିଥାଏ । ତେବେ ଚଳିତବର୍ଷ ପାଗ ଭଲ ରହିଥିବାରୁ ଅଧିକ ବ୍ୟବସାୟ ହେବା ନେଇ ଆଶା ରଖିଥିଲେ ବ୍ୟବସାୟୀ। ଏହାସହ ବ୍ୟବସାୟୀ କହିଛନ୍ତି, "ଆଜିର ପ୍ଲାଷ୍ଟିକ ଯୁଗରେ ବାଉଁଶ ନିର୍ମିତ ସାମଗ୍ରୀର ଚାହିଦା କମିଛି । ତଥାପି ଦୁର୍ଗାପୂଜାର ଭିଡ ମଧ୍ୟରେ ଅନେକ ଗ୍ରାହକ ଆସି ଜିନିଷ ପତ୍ର କିଣୁଛନ୍ତି ।"