କଟକ: ପୁଣି ରୋଗୀଙ୍କ ଜୀବନ ସହ ଖେଳ । ଏସସିବି ମେଡିକାଲ ଚିକିତ୍ସାରେ ଅବହେଳା ନେଇ ଅଭିଯୋଗ ହୋଇଛି । ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଯାହାର 4ଦିନ ପରେ ପେଟରେ ହୋଇଥିବା ସିଲେଇ ଖୋଲିଯାଇଛି । ଯାହାକୁ ନେଇ ରୋଗୀ ସମ୍ପର୍କୀୟଙ୍କ ମଧ୍ୟ ଅସନ୍ତୋଶ ଦେଖାଦେଇଛି ।
ସୂଚନା ଅନୁସାରେ, ଏସସିବିର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ମହିଳାଙ୍କର ଅସ୍ତ୍ରୋପଚାରରେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ମାତ୍ର ୪ ଦିନ ପରେ ଉକ୍ତ ମହିଳାଙ୍କ ପେଟରେ ପଡିଥିବା ସିଲେଇ ଖୋଲି ଯାଇଥିଲା । ଏନେଇ ପ୍ରଥମେ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଡାକ୍ତର ପହଞ୍ଚି ନଥିଲେ ।
ମେଡିକାଲରେ ଥିବା ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କୁ ଅବଗତ କରାଯାଇଥିଲେ ବି ରୋଗୀଙ୍କ ରକ୍ତ ପରୀକ୍ଷା କରିବାକୁ ପରାମର୍ଶ ଦେଇ କେଉଁ ଆଡେ ଚାଲି ଯାଇଥିଲେ । ଏହାକୁ ନେଇ ରୋଗୀ ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରିବା ସହ ଦୀର୍ଘ ୬ ଘଣ୍ଟାରୁ ଅଧିକ ସମୟ ମହିଳା ଜଣକ ସେମିତି ଯନ୍ତ୍ରଣାରେ ଛଟପଟ ହୋଇଥିଲେ ।
ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଜଣେ ପାରା ଲିଗାଲ ସ୍ବେଚ୍ଛାସେବୀ ଏହି ସମ୍ପର୍କରେ ଏସସିବି କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଶେଷରେ ଜଣେ ଷ୍ଟାଫ୍ ନର୍ସ ପହଞ୍ଚି ମହିଳାଙ୍କ ସିଲେଇ ଖୋଲି ଯାଇଥିବା ସ୍ଥାନରେ ଡ୍ରେସିଂ କରିବା ସହ ଗଜ କପଡାରେ ଫିଟି ଯାଇଥିବା ସ୍ଥାନକୁ ବାନ୍ଧିଥିଲେ । ଅପରାହ୍ନ ୪ଟା ସମୟରେ ଜଣେ ଡାକ୍ତରୀ ଟିମ ୱାର୍ଡରେ ପହଞ୍ଚି ମହିଳାଙ୍କ ଚିକିତ୍ସା ଆରମ୍ଭ କରିବା ସହ ଔଷଧ ଦେଇଥିଲେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ