କଟକ: ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି ରାଜ୍ୟ ସରକାର । ହେଲେ ଏହାରି ଭିତରେ ଏମିତି ଅନେକ ଯୋଜନା ରହିଛି ଯାହା ବର୍ତ୍ତମାନ କୋମାରେ । ଏହାର ଜ୍ଵଳନ୍ତ ଉଦାହରଣ ହେଲା ରାଜ୍ୟ ସରକାରଙ୍କ ମହାପ୍ରୟାଣ ଯୋଜନା । ଦାନ ମାଝୀ ମୃତଦେହ ବୋହିବା ଘଟଣା ପରେ ରାଜ୍ୟରେ ଆରମ୍ଭ ହୋଇଥିଲା ଏହି ଯୋଜନା । ହେଲେ ବର୍ତ୍ତମାନର ସ୍ଥିତି ବେଶ ସଙ୍ଗୀନ । ଏହି ସଙ୍ଗୀନ ସ୍ଥିତି କୌଣସି ଉପାନ୍ତ ଜିଲ୍ଲାରେ ନୁହେଁ ସିଲଭରସିଟି କଟକରେ ଦେଖିବାକୁ ମିଳିଛି । ଯାହାର ବାସ୍ତବ ଦୃଶ୍ୟ ଆପଣ ନିଜେ ଦେଖିଲେ ସ୍ବତଃ ଜାଣିପାରିବେ ।
ସିଲଭରସିଟିରେ ଫେଲ ମାରିଛି ମହାପ୍ରୟାଣ ଯୋଜନା । ଜରାଜୀର୍ଣ୍ଣ ହୋଇପଡିଛି ମହାପ୍ରୟାଣ ଯାନ । ବିଶେଷକରି ଶିଶୁ ଭବନ ଓ ସିଟି ମେଡିକାଲରେ ଏହି ଯାନ ବର୍ତ୍ତମାନ କୋମାରେ । କେଉଁଟି ଗାଡି ଅଛି ତ ଚାଳକ ନାହାନ୍ତି, ତ ଆଉ କେଉଁଠି ଖତ ଖାଉଛି ଗାଡି । ସିଧାସଳଖ କହିବାକୁ ଗଲେ, ମହାପ୍ରୟାଣ ଯୋଜନା ସତେ ଯେମିତି ମୁହଁ ମାଡି ପଡିଛି । ଆଉ ଯାହାର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡୁଛି । କେବଳ ସେତିକି ନୁହେଁ ଏହି ଯୋଜନାର ଅଚଳାବସ୍ଥା ଯୋଗୁଁ ଗରିବ ଶ୍ରେଣୀର ଲୋକମାନେ ବିଶେଷ ପ୍ରଭାବିତ ହେଉଛନ୍ତି । ସରକାରୀ ଯୋଜନା ପ୍ରତି ଏଭଳି ଅବହେଳାକୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି କହିଛନ୍ତି କଟକବାସୀ । ଆଉ ସହରବାସୀଙ୍କ ଏହି କଥାକୁ ସମ୍ମତି ଜଣାଇଛନ୍ତି ପୂର୍ବତନ ସିଏମସି କର୍ପୋରେଟର ଅରୁଣ ସେଠୀ ।