କଟକ:ସାବଧାନ ହୋଇ ଯାଆନ୍ତୁ ଅମାନିଆ ଗାଡି ଚାଳକ । ଖୁବଶୀଘ୍ର ସମସ୍ତ ଯାତ୍ରୀବାହୀ ଯାନ ଏବଂ ମାଲ ପରିବହନ କରୁଥିବା ଗାଡ଼ିରେ ଲାଗିବ VLTD ବା ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ । ଖାଲି ଟ୍ରାକିଂ ଡିଭାଇସ ନୁହେଁ ଏହାସହ ଗାଡିରେ ଲାଗିବ ପ୍ୟାନିକ ବଟନ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏଭଳି ବ୍ୟବସ୍ଥା ଲାଗୁ କରାଯାଇଛି ।
ଆସନ୍ତା ଡିସେମ୍ବର 31ତାରିଖ ସୁଦ୍ଧା ସମସ୍ତ ଯାତ୍ରୀ ପରିବହନ ଏବଂ ମାଲ ପରିବହନ କରୁଥିବା ଗାଡ଼ିରେ ଲଗାଇବାକୁ ସମୟ ଧାର୍ଯ୍ୟ କରିଛି ରାଜ୍ୟ ପରିବହନ ବିଭାଗ । ଏହି ନୂଆ ବ୍ୟବସ୍ଥା ଯାତ୍ରୀଙ୍କ ଠାରୁ ଆରମ୍ଭ କରି ଗାଡି ମାଲିକ ଏବଂ ଡ୍ରାଇଭର ସମସ୍ତେ ଉପକୃତ ହେବେ । ଏଣିକି ସମସ୍ତ ଯାତ୍ରୀବାହୀ ଯାନ ଏବଂ ମାଲବାହୀ ଗାଡ଼ିରେ ଲାଗିବ ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ ବା VLTD । ଖାଲି ସେତିକି ନୁହେଁ ଯାତ୍ରୀ ପରିବହନ କରୁଥିବା ସମସ୍ତ ପ୍ରକାର ଗାଡ଼ିରେ ପ୍ୟାନିକ ବଟନ ଲାଗିବ । 1 ଅକ୍ଟୋବର 2023ରୁ ନୂଆ ଗାଡି ପଞ୍ଜିକରଣ ହେବାକୁ ଥିବା ପ୍ରତ୍ୟେକ ଗାଡ଼ିରେ ଏହି ଡିଭାଇସ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି ।
ଯେଉଁ ଗାଡି ମାଲିକ 30 ସେପ୍ଟେମ୍ବର ମଧ୍ୟରେ ଗାଡ଼ି ନେଇଥିବେ ସେସବୁ ଗାଡିରେ ଚଳିତ ବର୍ଷ ଡିସେମ୍ବର 31ତାରିଖ ସୁଦ୍ଧା ଏହି ଭିଏଲଟିଡି ଲଗାଇବାକୁ ପରିବହନ ବିଭାଗ ନିର୍ଦ୍ଦେଶ ନାମା ଜାରି କରିଛି । ଏହି ବ୍ୟବସ୍ଥାରୁ 3 ଚକିଆ ଓ ଇ-ରିକ୍ସା ଏବଂ ପ୍ରାଇଭେଟ ଗାଡିକୁ ବାଦ୍ ଦିଆଯାଇଛି । ମୁଖ୍ୟତଃ ଯାତ୍ରୀମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି । ଲୋକେସନ ଟ୍ରାକିଂ ବ୍ୟବସ୍ଥା ଦ୍ୱାରା ଗାଡିର ଗତିବିଧି ସମ୍ପର୍କରେ ସବିଶେଷ ତଥ୍ୟ କଂଟ୍ରୋଲ ରୁମ ଜରିଆରେ ମିଳିପାରିବ । ପ୍ରତି ଯାତ୍ରୀବାହୀ ଗାଡ଼ିରେ ଅନ୍ୟୁନ ଗୋଟିଏ ପ୍ୟାନିକ ବଟନ ରହିବ । ଏହି ପ୍ୟାନିକ ବଟନ ଯାତ୍ରୀମାନେ ଯାତ୍ରା କରୁଥିବା ସମୟରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେଲେ ବ୍ୟବହାର କରିପାରିବେ । ଗାଡି ଚାଳକ ଦ୍ରୁତ ଗତିରେ ଗାଡି ଚଳାଇଲେ କିମ୍ବା ଦୁର୍ଘଟଣା ଘଟିଲେ କମାଣ୍ଡ କଣ୍ଟ୍ରୋଲ ରୁମ ଏହା ଜାଣିପାରିବ ।