କଟକ:ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ଶାସକ ଦଳ ପାଇଁ ସୃଷ୍ଟି କରିପାରେ ଅଡ଼ୁଆ । ବିଶେଷକରି ଦଳକୁ କ୍ଷତି ପହଞ୍ଚାଇପାରେ । କାରଣ ଅନିୟମିତତାକୁ ନେଇ କେବଳ ବିରୋଧୀମାନେ ସ୍ବର ଉଠାଉନାହାନ୍ତି, ବରଂ ଶାସକ ଦଳର ଅନେକ କର୍ପୋରେଟର ତଥା କଟକ ବିଜେଡି ଜିଲ୍ଲା ସଭାପତି ବି ଏନେଇ ସ୍ବର ଉଠାଇଛନ୍ତି । ଆଉ କଟକ ସହରରେ ଏହା ଏବେ ବଡ଼ ଆଲୋଚନା ପ୍ରସଙ୍ଗ ପାଲଟିଛି । ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ମାସ ଥିବାବେଳେ ଅନିୟମିତତା ପ୍ରସଙ୍ଗ ଶାସକ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ରାଜନୀତି ସମୀକ୍ଷକ ଆକଳନ କରିଛନ୍ତି ।
ଏନେଇ ରାଜନୀତି ସମୀକ୍ଷକ ଡଃ ଓଁକାର ରାଉତ କହିଛନ୍ତି, "ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗକୁ ନେଇ ଏବେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଟଣାଓଟରା ଚାଲିଛି । ବାରବାଟୀ ବିଧାୟକ ମହମ୍ମଦ ମୋକିମ ପ୍ରେସ ବାର୍ତ୍ତା ମାଧ୍ୟମରେ ଏହି ଦୁର୍ନୀତିକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ । ଏହାପରେ ଏବେ କଟକବାସୀଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି । ମୋ ମତରେ ଆଗାମୀ ଦିନରେ ଏହି ଦୁର୍ନୀତି ଶାସକ ଦଳ ଉପରେ ପ୍ରଭାବ ପକାଇପାରେ । କଟକ ମହାନଗର ନିଗମର ୫୯ଟି ୱାର୍ଡ ମଧ୍ୟରୁ ଅଧିକାଂଶ ୱାର୍ଡରେ ବିଜେଡି କର୍ପୋରେଟର ଅଛନ୍ତି । ତେବେ ଏହି ବାଲିଯାତ୍ରା ଦୁର୍ନୀତିକୁ ନେଇ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ବିଜେଡି କର୍ପୋରେଟରମାନେ ମେୟର ସୁବାସ ସିଂଙ୍କୁ ଘେରିଛନ୍ତି । ଯାହାକୁ ନେଇ ଶାସକ ଦଳ ଉପରେ ପ୍ରଭାବ ପଡ଼ିବ ବୋଲି ଅନୁମାନ କରାଯାଉଛି ।"
ଏହା ବି ପଢନ୍ତୁ- ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ପ୍ରସଙ୍ଗ, ମୁହଁ ଖୋଲିଲେ ସିଏମସି କମିଶନର