କଟକ:ବନ ବିଭାଗ ହେପାଜତରେ ଧନେଶ୍ଵର ବେହେରା ମୃତ୍ୟୁ ଘଟଣା । ବଡମ୍ବା ରେଞ୍ଜର ସୁବ୍ରତ ବେହେରା ସମେତ ୬ଜଣ ବନ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଆଠଗଡ଼ SDPO ବିଜୟ କୁମାର ବିଶି । ବଡ଼ମ୍ବା ରେଞ୍ଜ ଅଫିସରେ ଅଭିଯୁକ୍ତ ଧନେଶ୍ବର ମୃତ୍ୟ ଘଟଣା ଏବେ ରାଜ୍ୟର ଚର୍ଚ୍ଚିତ ଖବର ପାଲଟିଛି । କେଉଁ କାରଣରୁ ଅଭିଯୁକ୍ତ ଧନେଶ୍ବର ମୃତ୍ୟ ଘଟିଥିଲା ତାହା ଏବେ ସନ୍ଦେହ ଘେରରେ ରହିଛି । ଏହି ଘଟଣାରେ ଏବେ ୬ ଜଣ ବନ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଆଠଗଡ଼ SDPO । ଗିରଫ ୬ ଜଣ ବନ କର୍ମଚାରୀ ହେଉଛନ୍ତି ରେଞ୍ଜର ସୁବ୍ରତ ବେହେରା, ଫରେଷ୍ଟର ମନୋଜ ଦାସ, ଦୀପକ ସେଠୀ, ଫରେଷ୍ଟ ଗାର୍ଡ ସୁନାଏକ ମାଝି, କୁନା ବେହେରା ଏବଂ ପ୍ରଭାତ ପ୍ରଧାନ ।
ଗତ ଫେବୃଆରୀ ୫ ତାରିଖ ଦିନ ରାତିରେ ହାତୀକୁ ଶିକାର କରିଥିବା ସନ୍ଦେହ କରି ବଡମ୍ବା ସାତଗୋଛିଆ ଗାଁର ଧନେଶ୍ଵର ବେହେରାଙ୍କୁ ଏକ ପେଟ୍ରୋଲ ପମ୍ପ ନିକଟରୁ ଉଠାଇଆଣିଥିଲା ବଡମ୍ବା ବନ ବିଭାଗ । ହାତୀକୁ ହତ୍ୟା କରିଥିବା ସନ୍ଦେହରେ ବଡମ୍ବା ରେଞ୍ଜରେ ଅଭିଯୁକ୍ତକୁ ପଚରାଉଚରା କରାଯାଇଥିଲା । ଏହି ସମୟରେ ତାଙ୍କର ବନବିଭାଗ ହେପାଜତରେ ସନ୍ଦେହଜନକ ଭାବରେ ମୃତ୍ୟୁ ଘଟିଥିଲା । ତେବେ ପଚରାଉଚରା ବେଳେ ମାଡ ମାରିବାରୁ ଅଭିଯୁକ୍ତ ଧନେଶ୍ବରଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାର ପକ୍ଷରୁ ବଡମ୍ବା ଥାନାରେ ଅଭିଯୋଗ ହୋଇଥିଲା । ଉକ୍ତ ଘଟଣାରେ ଦୁଇଦିନ ହେବ ପୋଲିସ ୧୪ଜଣ ବନ ବିଭାଗ ଅଧିକାରୀଙ୍କୁ ଆଠଗଡ଼ ଥାନାରେ ଅଟକ ରଖି ପଚରାଉଚରା କରିଥିଲା ।