କଟକ:ପବିତ୍ର ମହାଶିବରାତ୍ରୀ ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ବିଭିନ୍ନ ଶୈବପୀଠ । ଉପାବାସ ରହି ନିଷ୍ଠାର ସହ ଜାଗର ଜାଳିଲେ ସମସ୍ତ ଇଚ୍ଛା ପୂରଣ ହେବାର ବିଶ୍ବାସ ରହିଛି । ଏହି ପରିପ୍ରେକ୍ଷୀରେ ସମସ୍ତ ଶୈବପୀଠରେ ସାରାରାତ୍ରୀ ଉଜାଗର ରହି ଦୀପ ଜାଳି ଶିବରାତ୍ରୀ ପାଳନ୍ତି ଶ୍ରଦ୍ଧାଳୁ । ଏହି କ୍ରମରେ କଟକ ସ୍ଥିତ ପରମହଂସନାଥ ମନ୍ଦିରରେ ଆଡ଼ମ୍ବରେ ଜାଗର ଉତ୍ସବ ପାଳନ ହେଉଛି । ପ୍ରଭୁଙ୍କୁ ଦର୍ଶନ କରିବା ଲାଗି ସକାଳୁ ହଜାର ହାଜର ଭକ୍ତଙ୍କ ସମାଗମ ହୋଇଛି ।
ରାଜ୍ୟର ସର୍ବପୁରାତନ ଶୈବପୀଠ ମଧ୍ୟରେ ପରମହଂସନାଥ ମନ୍ଦିର ହେଉଛି ଅନ୍ୟତମ । କୁହାଯାଏ, ରାଜା ପ୍ରତାପ ଚନ୍ଦ୍ର ଦେବଙ୍କ ଅମଳରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା । କଟକ ମହାନଦୀ ପ୍ରାଙ୍ଗଣରେ ରହିଛି ହଜାର ବର୍ଷର ପୂରାତନ ଶିବ ମନ୍ଦିର ପରମହଂସ ନାଥ ମନ୍ଦିର । କାହିଁ କେବେ ଠାରୁ ଏହା ପରମହଂସ ନାଥ ଶୈବ ପୀଠ ଭାବରେ ପରିଚିତ । ହଜାର ବର୍ଷର ଏହି ମନ୍ଦିରରେ ରହିଛି ଅନେକ ପରମ୍ପରା ଆଉ କିମ୍ବଦନ୍ତୀ। ରୀତିନୀତି ଅନୁଯାୟୀ ଏଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଏ । ବିଶ୍ୱାସ ରହିଛି ଉକ୍ତ ମନ୍ଦିରରେ ଯାହା ମାନସିକ କରାଯାଏ ତାହା ପୂରଣ ହୋଇଥାଏ । ସବୁଠାରୁ ବଡ କଥା ହେଉଛି, ଦେବତ୍ତର ବିଭାଗ ଏହି ମନ୍ଦିର ପରିଚାଳନା କରୁଛନ୍ତି ।
ପରମ୍ପରା ଅନୁଯାୟୀ ପ୍ରତ୍ୟେକ ଦିନ ସକାଳୁ ପହଡ଼ ଖୋଲିବା ପରେ ମନ୍ଦିରରେ ନୀତି କରାଯାଇଥାଏ । ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସକାଳ ବାଳ ଭୋଗ କରାଯାଇଥାଏ । ଅପରାହ୍ନ ୧୨ ଟାରୁ ୧୨.୩୦ରେ ମନ୍ଦିରର ସେବକମାନେ ପ୍ରସାଦ ଭୋଗ ଲାଗି କରିଥାଆନ୍ତି । ଏହାର ଦୁଇ ଘଣ୍ଟା ପରେ ଖେଚଡି ଭୋଗ ଲାଗି କରାଯାଏ ।ଅପରାହ୍ନ ୨ ଟାରୁ ୨ ଟା ୩୦ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ପହଡ଼ ପଡେ । ଅପରାହ୍ନ ୪ ଟାରେ ପହଡ଼ ଖୋଲାଯାଇଥାଏ । ତେବେ ଏହି ପୂରାତନ ମନ୍ଦିରରେ ଅନେକ ଆଲୌକିକ ରହିଛି ।
ମନ୍ଦିରର ଜଣେ ପୁରୋହିତ ମନ୍ଦିର ପୂଜା କରି ପ୍ରତ୍ୟକ ଦିନ ଘରକୁ ଫେରିବା ସମୟରେ ଉଖୁଡା଼ ଭୋଗ ନେଇ ଘରକୁ ଯାଇ ଥାଆନ୍ତି । ତାଙ୍କୁ ଚିଙ୍ଗୁଡ଼ି ମାଛ ପସନ୍ଦ ଥିବାରୁ ସେ ବାଟରୁ ଚିଙ୍ଗୁଡ଼ି ମାଛ ନେଇଥାନ୍ତି ।ଏହି ଖବର ପ୍ରଚାର ହେବାରୁ ରାଜା ସତ୍ୟାସତ୍ୟ ଜାଣିବାକୁ ନିଜେ ଉକ୍ତ ସ୍ଥାନକୁ ଯାଇଥିଲେ । ପୁରୋହିତ ଚିଙ୍ଗୁଡ଼ି ଓ ଉଖୁଡା଼ ଭୋଗ ସାଙ୍ଗରେ ନେଇ ଯାଉଥିବା ସମୟରେ ରାଜାଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ । ସଙ୍ଗେ ସଙ୍ଗେ ପ୍ରଭୁ ହଂସନାଥଙ୍କୁ ସ୍ମରଣ କରି ଚିଙ୍ଗୁଡ଼ିଗୁଡ଼ିକ ଉଖୁଡା଼ ହେଇଯାଉ ବୋଲି କହିଥିଲେ । ଏହାପରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା । ପୁରୋହିତ ଧରିଥିବା ଚିଙ୍ଗୁଡ଼ିଗୁଡ଼ିକ ଉଖୁଡ଼ାରେ ପରିଣତ ହୋଇଗଲା ।
କେବଳ ସେତିକି ନୁହେଁ ରାଜା ଦିନେ ଉଖୁଡା଼ ଭୋଗ ଖାଉଥିବା ସମୟରେ ଉଖୁଡା଼ରୁ ବାଳ ବାହାରିଥିଲା । ତେବେ ଏହା ପରମହଂସ ନାଥଙ୍କ ବାଳ ବୋଲି ପୁରୋହିତ କହିବାରୁ ରାଜା ଏହାର ଯାଞ୍ଚ କରିଥିଲେ । ପୁରୋହିତ କିଛି ବାଟ ନ ପାଇ ଭୟରେ 'ହେ ପ୍ରଭୁ ରକ୍ଷା କର' କହିବାରୁ ପ୍ରଭୁ ପରମହଂସ ନାଥ ତାଙ୍କୁ ରକ୍ଷା କରିଥିଲେ । ସଙ୍ଗେ ସଙ୍ଗେ ପ୍ରଭୁଙ୍କର ମୁଣ୍ଡରେ ବାଳ ଉଠିଥିଲା । ରାଜା ମଧ୍ୟ ଏହାକୁ ସନ୍ଦେହ କରି ବାଳଟିକୁ ଉପାଡିବାରୁ ସେଥିରୁ ରକ୍ତ ବାହାରି ଥିଲା ବୋଲି ବିଶ୍ୱାସ ରହିଛି ।