କଟକ:ମାଟ୍ରିକ୍ ସାର୍ଟିଫିକେଟ୍ରେ ସାଂଘାତିକ ତ୍ରୁଟି । ଗୋଟିଏ ବିଦ୍ୟାଳୟର ୬୯ଜଣ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍ରେ ରହିଛି ମାତ୍ର ଜଣେ ଛାତ୍ରଙ୍କ ଫଟୋ । କଟକ ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଅସୁରେଶ୍ବର ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମାଟ୍ରିକ୍ ସାର୍ଟିଫିକେଟ୍ରେ ଏହି ସାଂଘାତିକ ତ୍ରୁଟି ଦେଖିବାକୁ ମିଳିଛି । ସାର୍ଟିଫିକେଟ୍ରେ ତ୍ରୃଟି ଥିବାରୁ କିପରି ନାମ ଲେଖାଇବେ ସେନେଇ ଚିନ୍ତାରେ ପଡ଼ିଛନ୍ତି ଛାତ୍ରଛାତ୍ରୀ । ମାଧ୍ୟମିକ ଶିକ୍ଷା ପରିଷଦର ଖାମଖିଆଲ ନୀତି ଯୋଗୁଁ ଏଭଳି ଗୁରୁତ୍ୱର ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି । ସବୁଠାରୁ ବଡ଼ କଥା ହେଉଛି କି ବୋର୍ଡ ଏହାକୁ ଅତି ହାଲୁକା ଭାବେ ଗ୍ରହଣ କରିଛି । ଭୁଲକୁ ସଂଶୋଧନ କରାଯିବ କିନ୍ତୁ ଏହା ଦ୍ବାରା ନାମ ଲେଖାରେ କୌଣସି ସମସ୍ୟା ହେବ ନାହିଁ ବୋଲି ବୋର୍ଡ଼ ଉପସଭାପତି ନିହାର ରଞ୍ଜନ ମହାନ୍ତି କହିଛନ୍ତି ।
କଟକ ଜିଲ୍ଳା ଅସୁରେଶ୍ବର ସରକାରୀ ଉଚ୍ଚବିଦ୍ୟାଳୟରେ କିଛି ପରୀକ୍ଷାର୍ଥୀଙ୍କ ମାଟ୍ରିକ ସାର୍ଟିଫିକେଟକୁ ନେଇ ଏବେ ବେଶ ଚର୍ଚ୍ଚା । କାରଣ ଅନେକ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟରେ ଛପାଯାଇଥିବା ପରୀକ୍ଷାର୍ଥୀଙ୍କ ଫଟୋ ଏକ । ଏମିତି ଜଣେ କି ଦୁଇ ଜଣ ଛାତ୍ରଛାତ୍ରୀ ନୁହଁନ୍ତି ବରଂ ମୋଟ ୬୯ଜଣଙ୍କ କ୍ଷେତ୍ରରେ ଏପରି ଦେଖିବାକୁ ମିଳିଛି । ସବୁଠୁ ବଡ଼ କଥା ହେଉଛି ଛାତ୍ରୀଙ୍କ ଫଟୋ ଜାଗାରେ ଛାତ୍ରଙ୍କ ଫଟୋ ଲାଗିଛି । ତେବେ ଏହି ସାର୍ଟିଫିକେଟ୍ ଦେଖାଇ ଛାତ୍ରଛାତ୍ରୀ କିପରି ନାମ ଲେଖାଇବେ ତାହାକୁ ନେଇ ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ସମସ୍ୟାର ସମାଧନ କରିବା ପାଇଁ ନା ସ୍କୁଲ କତ୍ତୃପକ୍ଷ ନା ବୋର୍ଡ କେହି ବି କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ କରିଛନ୍ତି ଛାତ୍ରୀ ।