କଟକ :ଏସସିବିରେ ସିକ୍ୟୁରିଟି ଗାର୍ଡଙ୍କ ଦାଦାଗିରି । କଟକ ଏସସିବି ମେଡ଼ିକାଲରେ ଗତକାଲି(ବୁଧବାର) ସିକ୍ୟୁରିଟି ଗାର୍ଡଙ୍କ ଏହି ଦାଦାଗିରି ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର । ଡିସିପି କହିଛନ୍ତି,'' ଏସସିବି ମେଡ଼ିକାଲରେ ଯେଉଁ ଅଘଟଣ ଘଟିଛି ତାହା ଆଦୌ ଗ୍ରହଣ ଯୋଗ୍ୟ ନୁହେଁ । ଏହି ଘଟଣାରେ ସିକ୍ୟୁରିଟି ଗାର୍ଡ ରତ୍ନାକରକୁ ଥାନାରେ ଅଟକ ରଖାଯାଇଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।'' ସିକ୍ୟୁରିଟି ଗାର୍ଡ ରତ୍ନାକର ଆକ୍ରମଣର ଶିକାର ହୋଇଥିବା ସମ୍ପୃକ୍ତ ଫାର୍ମାସିଷ୍ଟଙ୍କ ନାଁ ବିଶ୍ବଜିତ ମହାରଣା ଓ ସେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ରୋଗୀଙ୍କୁ ନେଇ ଗତକାଲି ଅପରାହ୍ନରେ ଏସସିବି ଆଣିଥିଲେ ।
ସୂଚନାନୁସାରେ ବୁଧବାର ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୧୦୮ ଆମ୍ବୁଲାନ୍ସରେ ରୋଗୀଙ୍କୁ ନେଇ ଏସସିବି ଆଣିଥିଲେ ଫାର୍ମାସିଷ୍ଟ ବିଶ୍ୱଜିତ୍ ମହାରଣା । ଏସସିବି ମେଡ଼ିକାଲରେ ଆମ୍ବୁଲାନ୍ସ ପହଞ୍ଚିବା ପରେ ଫାର୍ମାସିଷ୍ଟ ବିଶ୍ୱଜିତ୍ ମହାରଣାଙ୍କ ସହ ସିକ୍ୟୁରିଟି ଗାର୍ଡ ରତ୍ନାକରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏହାପରେ ରତ୍ନାକର ମେଡ଼ିକାଲ ପୋଲିସ ଫାଣ୍ଡି ଭିତରେ ଫାର୍ମାସିଷ୍ଟ ବିଶ୍ୱଜିତଙ୍କୁ ବନ୍ଦ କରି ଦେଇଥିଲେ । ଏହା ସହ ବିଶ୍ବଜିତଙ୍କୁ ପୋଲିସ କର୍ମୀଙ୍କ ଉପସ୍ଥିତିରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ନିର୍ଦ୍ଧୁମ ମାଡ଼ ମାରିଥିଲେ ।
ଏହାମଧ୍ୟ ପଢ଼ନ୍ତୁ: SCBରେ ସିକ୍ୟୁରିଟିଙ୍କ ଦାଦାଗିରି, ଫାର୍ମାସିଷ୍ଟକୁ ଫାଣ୍ଡିରେ ବନ୍ଦ କରି ମାଡ଼
ଏନେଇ କଟକ ମଙ୍ଗଳବାଗ ଥାନାରେ ୧୦୮ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ବିଶ୍ୱଜିତ୍ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ତୁରନ୍ତ ଏସସିବିରେ କାର୍ଯ୍ୟରତ ସୁରକ୍ଷା କର୍ମୀକୁ ଥାନାକୁ ଆଣି ଅଟକ ରଖିଛି । ଏହାସହ କାହିଁକି ଏବଂ କେଉଁ ପରିସ୍ଥିତିରେ ସେ ଫାଣ୍ଡି ଭିତରେ ଏଭଳି ଘଟଣା ଘଟାଇଲେ ଏବଂ ଫାର୍ମାସିଷ୍ଟଙ୍କୁ ମାଡ଼ ମାରିଲେ ସେନେଇ ପଚରାଉଚରା କରୁଛି ପୋଲିସ । ତେବେ ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପି କହିଛନ୍ତି ।