ଓଡିଶା

odisha

ETV Bharat / state

ବାଲି ଚୋରା ଚାଲାଣରେ କୋଟି କୋଟି ଟଙ୍କାର ହରିଲୁଟ, ବିଳମ୍ବରେ ଚେତିଲା ବାଲିପାଟଣା ପ୍ରଶାସନ

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ତହସିଲ ଅଞ୍ଚଳରେ ବାଲି ମାଫିଆ କୋଟି କୋଟି ଟଙ୍କାର ଚୋରା ଚାଲାଣ କରୁଥିଲେ । ତେବେ ବାରମ୍ବାର ଅଭିଯୋଗ ହେବା ପରେ ବାଲିପାଟଣା ପ୍ରଶାସନ ଉକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରିଛି । ଅଧିକ ପଢନ୍ତୁ

By

Published : May 21, 2022, 10:46 PM IST

ବାଲି ଚୋରା ଚାଲାଣରେ କୋଟି କୋଟି ଟଙ୍କାର ହରିଲୁଟ, ବିଳମ୍ବରେ ଚେତିଲା ବାଲିପାଟଣା ପ୍ରଶାସନ
ବାଲି ଚୋରା ଚାଲାଣରେ କୋଟି କୋଟି ଟଙ୍କାର ହରିଲୁଟ, ବିଳମ୍ବରେ ଚେତିଲା ବାଲିପାଟଣା ପ୍ରଶାସନ

ନିଆଳି:ରାଜ୍ୟ ରାଜକୋଷକୁ ଖୋଳ କରିଦେଲେ ବାଲି ମାଫିଆ । କୋଟି କୋଟି ଟଙ୍କାର ବାଲି ଚୋରାରେ ବିକ୍ରି କରି ହେଲେ ମାଲାମାଲ । ରାଜଧାନୀ ଉପକଣ୍ଠ ତଥା ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ତହସିଲ ଅଧୀନ ନଦୀନାଳକୁ ବାଲି ମାଫିଆମାନେ ନିଜ କବ୍‌ଜାକୁ ନେଇଛନ୍ତି । ତେବେ ବାରମ୍ବାର ଅଭିଯୋଗ ହେବା ପରେ ବାଲିପାଟଣା ତହସିଲ ପ୍ରଶାସନ ଏବଂ ସ୍ଥାନୀୟ ପୋଲିସ ପକ୍ଷରୁ ଦୁଇଟି ଯାକ ଘାଟରେ ଅତର୍କିତ ଚଢ଼ାଉ କରାଯାଇଛି । ଘାଟରେ ୧୪୪ ଧାରା ଜାରି କରାଯିବା ସହ ନାଲି ପତାକା ମରାଯାଇଥିବା ଦେଖିବାକୁ ମିଳିଛି ।

ବାଲି ଚୋରା ଚାଲାଣରେ କୋଟି କୋଟି ଟଙ୍କାର ହରିଲୁଟ, ବିଳମ୍ବରେ ଚେତିଲା ବାଲିପାଟଣା ପ୍ରଶାସନ

ବାଲି ମାଫିଆମାନେ ଧାର୍ଯ୍ୟ ଦେୟ ପୈଠ ନକରି ବେଧଡ଼କ ବାଲି ବୋହି ନେବା ସହ ବାଲିଘାଟରେ ମେସିନ ଲଗାଇବାର ନିୟମ ନଥିବା ବେଳେ ପ୍ରାୟ ସମସ୍ତ ବାଲିଘାଟରେ ଏକାଧିକ ମେସିନ ଦିନରାତି ବାଲି ଖୋଳି ଚାଲିଥିବା ଅଭିଯୋଗ ହୋଇଥିଲା । ବାଲି ବୋଝେଇ ଓଭରଲୋଡିଂ ଗାଡ଼ିଗୁଡ଼ିକ ମଧ୍ୟ ଦିନରାତି ଯାତାୟାତ କରିବା ଦ୍ବାରା ନଦୀବନ୍ଧ ଦୁର୍ବଳ ହେବା ସହ ରାସ୍ତାଘାଟ ଭାଙ୍ଗି ନଷ୍ଟ ହେଉଛି । ଆଉ ତହସିଲ ପ୍ରଶାସନ ବିକାଶ ଆଳରେ ପରିବେଶ ଓ ପରିସ୍ଥିତିକୁ ଲକ୍ଷ୍ୟ ନକରି ଦୀର୍ଘ ଦିନ ହେବ ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଥିଲା ।

ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି ହୋଇ ବାରମ୍ବାର ଅଭିଯୋଗ ହେବା ପରେ ଏବେ ଯାଇ ପ୍ରଶାସନର ନିଦ ଭାଙ୍ଗିଛି । ବାଲିପାଟଣା ତହସିଲ ଅଧୀନ ସୋମଣା ଶାସନ ଏବଂ ଅଚ୍ୟୁତପୁରରେ ଥିବା ବାଲିଘାଟର ଅବଧି ଶେଷ ହୋଇଛି । ଧାର୍ଯ୍ୟ ବକେୟା ଦେୟ ପୈଠ କରିନଥିବା ବେଳେ ଦୀର୍ଘ ଦିନ ହେବ ଶହ ଶହ ଟ୍ରିପ ବାଲି ହରିଲୁଟ ହେଉଥିଲା । ଗତକାଲି ବାଲିପାଟଣା ତହସିଲ ପ୍ରଶାସନ ଏବଂ ସ୍ଥାନୀୟ ପୋଲିସ ପକ୍ଷରୁ ୨ଟି ଯାକ ଘାଟରେ ଅତର୍କିତ ଚଢ଼ାଉ କରାଯାଇଥିଲା ।

ଏହାପରେ ବାଲିଘାଟରେ ୧୪୪ ଧାରା ଜାରି କରାଯିବା ସହ ନାଲି ପତାକା ମରାଯାଇଛି । ନଦୀ ଭିତରେ ବାଲି ଚାଲାଣ ପାଇଁ ଥିବା ରାସ୍ତାକୁ ବିଭିନ୍ନ କରାଯିବା ସହ ଗୋଟିଏ ଜେସିବି, ଗୋଟିଏ ହାଇୱା, ଗୋଟିଏ ଟ୍ରାକ୍ଟର ଜବତ କରାଯାଇଛି ବୋଲି ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀ ସୂଚନା ଦେଇଛନ୍ତି । ତହସିଲଦାରଙ୍କ ଦ୍ବାରା ନିଆଯାଇଥିବା ଏହି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ABOUT THE AUTHOR

...view details