କଟକ:ସ୍କୁଉଟ ଗାଇଡ ଛାତ୍ରଛାତ୍ରୀଙ୍କୁ ନିଆରା ପ୍ରଶିକ୍ଷଣ । ଏଣିକି ପ୍ରତିକୂଳ ପରିସ୍ଥିତି ଓ ପ୍ରାକୃତିକ ଦୁର୍ବିପାକ ସମୟରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ ସ୍କାଉଟ ଗାଇଡ଼ର ଛାତ୍ରଛାତ୍ରୀ । ସେ ବନ୍ୟା ହେଉ କି ବାତ୍ୟା, ଯେକୌଣସି ପ୍ରତିକୂଳ ପରିସ୍ଥିତିର ତତ୍କାଳ ମୁକାବିଲା କରିବେ । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳା ସହିତ ନିଜର ଅନ୍ତଃର୍ନିହିତ ପ୍ରତିଭାର ବିକାଶ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବାକୁ କଟକର ଖାନନଗର ସରକାରୀ ବିଦ୍ୟାଳୟରେ ଆୟୋଜିତ ହୋଇଛି ସ୍କାଉଟ ଗାଇଡ଼ ତାଲିମ ଶିବିର । ଓଡ଼ିଶା ପ୍ରତିବର୍ଷ ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ବେଳେ ଏହି ପ୍ରଶିକ୍ଷଣ ପରେ ଏମାନେ ଲୋକଙ୍କ ସୁରକ୍ଷା କରିପାରିବେ । ସେଥିପାଇଁ ଛାତ୍ରଛାତ୍ରୀଙ୍କୁ ସୈନିକମାନଙ୍କ ଭଳି ତାଲିମ ଦିଆଯାଉଛି ।
ତିନି ଦିନ ଧରି ଚାଲିଥିବା ଥିବା ଏହି ଶିବିରରେ 650ରୁ ଊର୍ଦ୍ଧ୍ବ ସ୍କାଉଟ ଗାଇଡ଼ର ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଇଛନ୍ତି । ଭିଡ଼ ନିୟନ୍ତ୍ରଣ ହେଉ କି ବନ୍ୟା ବାତ୍ୟା, ସବୁ ପ୍ରତିକୂଳ ପରିସ୍ଥିତି ସାମ୍ନା କରି କିପରି ଲୋକଙ୍କୁ ସାହାଯ୍ୟ କରିବେ ସେନେଇ ପ୍ରଶିକ୍ଷଣ ନେଇଛନ୍ତି ପିଲା । ଏହି ଛାତ୍ରଛାତ୍ରୀ ଟନେଲ କ୍ରସିଂ, ନେଟ କ୍ଳାଇବିଙ୍ଗ, ସ୍ପିକର୍ସ କର୍ଣ୍ଣର, ଟାୟାର ୱାଲ ଭଳି 7ରୁ ଅଧିକ ଦୁଃସାହସିକ କଳା କୌଶଳ ପ୍ରଦର୍ଶନ କରୁଛନ୍ତି । ଏଭଳି କୌଶଳ ଶିକ୍ଷା ଲାଭ ଦ୍ୱାରା ସେମାନେ ଯେକୌଣସି ପରିସ୍ଥିତିରେ ନିଜକୁ ସୁରକ୍ଷିତ ରଖିବା ସହ ଅନ୍ୟମାନଙ୍କୁ ସହଯୋଗ ଓ ସୁରକ୍ଷା ପ୍ରଦାନ କରିପାରିବେ । ଏହି ପ୍ରଶିକ୍ଷଣ ଶିବିରରେ କଟକ ଜିଲ୍ଲାର 14ଟି ବ୍ଲକ ଓ କଟକ ମହାନଗର ନିଗମରେ ଥିବା ସମସ୍ତ ବିଦ୍ୟାଳୟରୁ 650 ଜଣ ସ୍କାଉଟ, ଗାଇଡ଼ର ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ପ୍ରତ୍ୟେକ ଦିନ ସକାଳ ଠାରୁ ସନ୍ଧ୍ୟା ଯାଏ ପ୍ରଶିକ୍ଷଣ ଦିଆଯାଉଛି ।