କଟକ: ଦେଶ ତଥା ରାଜ୍ୟରେ ଏବେ କୋଭିଡ ନିୟନ୍ତ୍ରଣରେ ଅଛି । ଅନ୍ୟ ଦେଶରେ ବି.ଏଫ 7 ଭାଇରସ ପ୍ରଭାବ ବୃଦ୍ଧି ପାଉଥିବାରୁ ଏହାକୁ ନେଇ ଆଗୁଆ ସତର୍କତା ଅବଲମ୍ବନ କରାଯାଉଛି । ଏହି କ୍ରମରେ କୋଭିଡ ଭିତ୍ତି ଭୂମିକୁ ନିରୀକ୍ଷଣ କରିବା ପାଇଁ ଆଜିଠାରୁ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲ ତଥା ମେଡିକାଲ କଲେଜ ଗୁଡ଼ିକରେ ମକ ଡ୍ରିଲ କରାଯାଇଛି । ଏହି କ୍ରମରେ ଏସସିବିରେ ମଧ୍ୟ ଏକ ମକ ଡ୍ରିଲ କରାଯାଇଛି । ମେଡିକାଲ ପରିସରରେ ଥିବା କୋଭିଡ ହସ୍ପିଟାଲ ନମ୍ବର 4କୁ ପ୍ରସ୍ତୁତ କରାଯାଇଛି ।
ଏହି ହସ୍ପିଟାଲର 15ଟି ଆଇସିୟୁ ବେଡ ସହିତ 5ଟି ସାଧାରଣ ବେଡ ମଧ୍ୟ ରହିଛି । ତେବେ 20 ବେଡ ବିଶିଷ୍ଟ ଏହି ହସ୍ପିଟାଲର ପରିଚାଳନା ପାଇଁ ଏସସିବି ପଲ୍ୟୁମନାରୀ ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ଦାୟିତ୍ବ ଦିଆଯାଇଛି । ତାଙ୍କୁ ସହଯୋଗ କରିବା ପାଇଁ ଜଣେ ଡାକ୍ତରଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି । ଏହା ବ୍ୟତୀତ ଏହି ୟୁନିଟରେ ପାରାମେଡିକାଲ ଷ୍ଟାଫ, ଷ୍ଟାଫ ନର୍ସଙ୍କୁ ମିଶାଇ ତିନୋଟି ସିଫ୍ଟରେ ପ୍ରାୟ 5ରୁ 6 ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏହା ସହିତ ଆବଶ୍ୟକ ସଂଖ୍ୟକ ବେଡ଼,ଅକ୍ସିଜେନ, ପିପିଇ କିଟ୍, ଔଷଧ ମହଜୁଦ ରଖାଯାଇ ଥିବା ମଧ୍ୟ କହିଛନ୍ତି କଟକ ଏସସିବି ମେଡ଼ିକାଲର ପ୍ରଶାସନିକ ଅଧିକାରୀ ।