କଟକ: ଏସସିବି ମେଡିକାଲର ନ୍ୟୁ ମେଡ଼ିସିନ ଓ୍ବାର୍ଡରେ ଦୀର୍ଘ ଦିନ ଧରି ଲିଫ୍ଟ ଅଚଳ। ଗୁରୁତର ରୋଗୀଙ୍କୁ ଷ୍ଟ୍ରେଚର ସାହାଯ୍ୟରେ ସିଡ଼ିରେ ବିପଦପୂର୍ଣ୍ଣ ଭାବେ ନିଆଯାଉଛି। ଡାକ୍ତର ଓ ଷ୍ଟାଫଙ୍କ ପାଇଁ ଉଦ୍ଦିଷ୍ଟ ଛୋଟ ଲିଫ୍ଟରେ ଷ୍ଟେଚରରୁ ଓହ୍ଲାଇ ଟେକି ଟେକି ନିଆଯାଉଥିବା ଦେଖିବାକୁ ମିଳିଛି। ଏମ୍ସ ପ୍ଲସ ହେବାକୁ ଯାଉଥିବା ବଡ ମେଡିକାଲ ଅବ୍ୟବସ୍ଥା ଘେରରେ ଥିବାବେଳେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ରୋଗୀ । ଯାହାକୁ ନେଇ ରୋଗୀ ମାନଙ୍କ ମଧ୍ୟରେ ଦେଖା ଦେଇଛି ତୀବ୍ର ଅସନ୍ତୋଷ। ସୂଚନା ଅନୁସାରେ, ନ୍ୟୁ ମେଡିସନ ୱାର୍ଡଟି ହେଉଛି 4 ମହଲା ବିଶିଷ୍ଟ। ପ୍ରତିଦିନ ହଜାର ହଜାର ରୋଗୀ ମେଡିସନ ବିଭାଗରେ ଭର୍ତ୍ତି ହେଉଥିବାବେଳେ ଲିଫ୍ଟ ନଥିବାରୁ ଅନେକ ସମସ୍ୟା ଉପୁଜିଛି।
ତେବେ ଏହି ଅସୁବିଧାକୁ ନେଇ ଦୀର୍ଘ ଦିନ ଧରି ରୋଗୀମାନେ ହନ୍ତସନ୍ତ ହେଉଥିବାବେଳେ ପ୍ରଶାସନ ଏଯାବତ କାହିଁକି ଏହି ସମ୍ବେଦନଶୀଳ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ରୋଗୀ ଆଣିଥିବା ଅଭିଯୋଗ ଭିତ୍ତିହିନ ବୋଲି କହିଛନ୍ତି ଏସସବି ଅଧିକାରୀ । ସେ କହିଛନ୍ତି, "3 ଦିନ ଧରି ନ୍ୟୁ ମେଡିସନର ଲିଫ୍ଟ ବନ୍ଦ ରହିଥିଲାବେଳେ ଗତକାଲି (ବୁଧବାର) ସନ୍ଧ୍ୟା ଠାରୁ କାଜୁଆଲଟିର ଲିଫ୍ଟ ଅଚଳ ରହିଛି। ତେବେ ଲିଫ୍ଟ ମରାମତି ପାଇଁ ଆବଶ୍ୟକ ଯନ୍ତ୍ରପାତି ନମିଳିବାରୁ ଏଯାବତ୍ ଲିଫ୍ଟ ୨ ଟି ଅଚଳ ଥିଲା। କିନ୍ତୁ ଏହି ଅସୁବିଧାର ସମାଧାନ ଆଜି ସନ୍ଧ୍ୟା ସୁଧା ହୋଇଯିବ। ପୂର୍ବପରି ଲିଫ୍ଟ କାର୍ଯ୍ୟ କରିବ।"
ଏହା ମଧ୍ୟ ପଢନ୍ତୁ...କଟକର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆରଡିସିଙ୍କୁ ଭେଟିଲା କଂଗ୍ରେସ