କଟକ: ଯୁଗ ବଦଳିବା ସହ ପରମ୍ପରା ବି ବଦଳୁଛି । ଆଧୁନିକ ଯୁଗରେ ଆଧୁନିକତା ଜ୍ଞାନ କୌଶଳରେ ନିର୍ମିତ ବିଭିନ୍ନ ସାମଗ୍ରୀ ଏବେ ସମସ୍ତଙ୍କୁ ପସନ୍ଦ ଆସୁଛି । ଆଜିକାଲି ମେସିନରେ ପ୍ରସ୍ତତ ପୋଷାକ ପ୍ରାୟ ସମସ୍ତେ ଏବେ ବ୍ୟବହାର କରୁଛନ୍ତି । ଭଳିକି ଭଳି ଡିଜାଇନରେ ଅତି ସହଜରେ ଏସବୁ ପ୍ରସ୍ତୁତ କରାଯାଉଥିବା ବେଳେ ଦର ମଧ୍ୟ ଭଲ ରହୁଛି । ଏପରି ପରିସ୍ଥିତିରେ ଲୋକେ ହାତ ତିଆରି ତନ୍ତରେ ତିଆରି ପୋଷାକର ବ୍ୟବହାରକୁ ଭୁଲିଗଲେଣି । ଏହାରି ମଧ୍ୟରେ କିନ୍ତୁ ଚଳିତବର୍ଷ ବାଲିଯାତ୍ରାରେ ତନ୍ତରେ ପ୍ରସ୍ତୁତ ପୋଷାକ ଗ୍ରାହକଙ୍କୁ ଆକୃଷ୍ଟ କରୁଛି ।
ବାଲିଯାତ୍ରାରେ ତନ୍ତୁ ସାମଗ୍ରୀର ଚାହିଦା: ତନ୍ତ ନାଁ କୁ ହୁଏତ ଅନେକ ଯୁବପିଢ଼ି ଠିକସେ ଜାଣିନଥିବେ। କ'ଣ ଏହି ତନ୍ତ? ଏହା ଦେଖିବାକୁ କେମିତିକା ? ଏହା କେଉଁଥିରେ ନିର୍ମିତ ? ଏହାର କାର୍ଯ୍ୟ କଣ ? ଏହି ପ୍ରସଙ୍ଗ ଉଠାଇଲେ ଅନେକ ଯୁବପିଢ଼ି ଏଭଳି ପ୍ରଶ୍ନ କରିଥାନ୍ତି । ଏବଂ ଲୋକେ ମଧ୍ୟ ସତେ ଯେପରି ଏହି ସବୁକୁ ପାସୋରି ଗଲେଣି । ତେବେ ଏହି ପୂର୍ବ ପରମ୍ପରାକୁ ବଜାୟ ରଖି ବର୍ତ୍ତମାନ ବାଲିଯାତ୍ରାରେ ଓରମାସ ମଧ୍ୟରେ ତନ୍ତରେ ପ୍ରସ୍ତୁତ ସ୍ବତନ୍ତ୍ର ଷ୍ଟଲ ରହିଛି ।
ଗ୍ରାହକଙ୍କୁ ପସନ୍ଦ ଆସୁଛି ତନ୍ତୁ ସାମଗ୍ରୀ:ଚଳିତ ଥର ଏହି ଷ୍ଟଲ ପ୍ରଥମ ଥର ପାଇଁ ଲାଗିଥିବା ବେଳେ ଭଳିକି ଭଳି ଶାଢ଼ୀ ସାଙ୍ଗକୁ, ଡ୍ରେସ କପଡା, ରୁମାଲ, କଟନ କପଡା ପରି ତନ୍ତରେ ପ୍ରସ୍ତୁତ ସାମଗ୍ରୀ ଦର୍ଶକଙ୍କ ମନ ମୋହୁଛି । ସାମଗ୍ରୀ କୁ କିଣିବା ପାଇଁ ଷ୍ଟଲ ଆଗରେ ଗ୍ରାହକଙ୍କ ଭିଡ଼ ଜମୁଛି । ଗୋଟିଏ ଶାଢ଼ୀର ଦର ୧୫୦୦ ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ଡ୍ରେସ କପଡାର ମୂଲ୍ୟ ବି ସାଧାରଣ ପୋଷାକର ଦାମ ଠାରୁ ଅଧିକ ରହୁଛି । ତଥାପି ଏହି ସାମଗ୍ରୀର ଦର ଗ୍ରାହକଙ୍କୁ ପ୍ରଭାବ ପକାଇପାରିନି । ଏହା ହାତରେ ତିଆରି ହେଉଥିବାରୁ ପିନ୍ଧିବା ପାଇଁ ବେଶ ଭଲ ଏବଂ ଦୀର୍ଘ ଦିନ ପର୍ଯ୍ୟନ୍ତ ଏହି ପୋଷାକ ପିନ୍ଧିହେବ ବୋଲି ଗ୍ରାହକ କହିଛନ୍ତି । ଏବଂ ଦାମ ଅଧିକା ଥିଲେ ବି ଲୋକେ ଏହି ସାମଗ୍ରୀକୁ କିଣି ନେଉଛନ୍ତି ।