କଟକ: ପ୍ରବଚନ ଦେବାକୁ ପୁଣି ମନ ବଳାଇଲେଣି ମାନ୍ୟବର । ସଭା ସମିତି କରି ନିଜ ଭକ୍ତଙ୍କୁ ପ୍ରବଚନ ଦେବାକୁ ବ୍ୟଗ୍ର ହେଲେଣି ସନ୍ତୋଷ ରାଉଳ ଓରଫ ତଥା କଥିତ ସାରଥି ବାବା । ଏଥିପାଇଁ ଅନୁମତି ଦେବାକୁ ହାଇକୋର୍ଟରେ ଆବେଦନ କରିଛନ୍ତି ଭଣ୍ଡ ସାରଥି ।
ଜେଲରୁ ମୁକୁଳଇବା ସମୟରେ କୋର୍ଟ ତାଙ୍କ ପାଇଁ କିଛି ସର୍ତ୍ତ ରଖିଥିଲେ । ଯେଉଁଥିରେ ଜେଲରୁ ମୁକୁଳିବା ପରେ ସାରଥି କୌଣସି ସ୍ଥାନରେ ପ୍ରବଚନ ଦେଇପାରିବେ ନାହିଁ ବୋଲି କୁହାଯାଇଥିଲା । ଏହାସହ କେନ୍ଦ୍ରାପଡାର ବାରିମୂଳ ଆଶ୍ରମକୁ ଯିବା ଓ ଭକ୍ତଙ୍କୁ ଏକଜୁଟ କରିବା ଉପରେ ମଧ୍ୟ ହାଇକୋର୍ଟ କଟକଣା ଲଗାଇଥିଲେ ।
ଏପରିକି ସାରଥି ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ବିନା ଅନୁମତିରେ ରାଜ୍ୟ ବାହାରକୁ ଯିବା ଉପରେ ମଧ୍ୟ କୋର୍ଟ କଟକଣା ଲଗାଇଛନ୍ତି । ତେଣୁ ହାଇକୋର୍ଟ ଜାମିନ ପ୍ରଦାନ ସମୟରେ ଯେଉଁ ସର୍ତ୍ତ ସବୁ ରଖିଥିଲେ ତାହା ଉପରେ କୋହଳ କରିବାକୁ ଶୁକ୍ରବାର କୋର୍ଟରେ ପ୍ରାର୍ଥନା କରିଛନ୍ତି ସାରଥି ।